Odiapua.com

ଆବାସ ଯୋଜନା ଦୁର୍ନୀତି ପ୍ରତିବାଦ କରି ଅନଶନରେ ବସିଲା ବିଜେପି

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଧନୀଙ୍କ ପାଇଁ କାର୍ଯ୍ୟକାରୀ ହେଉଛି । ଗରିବ, ଆଦିବାସୀ ଓ ଦଳିତ ପରିବାର ଆବାସ ଯୋଜନାରୁ ବାଦ ପଡିଛନ୍ତି । ‘ଫୋନି’ ସହାୟତା ନାମରେ ପ୍ରସ୍ତୁତ ତାଲିକା କେବଳ ଦଲାଲଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ସହ ଯୋଗ୍ୟ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା, ଯୋଜନାରେ ଶ୍ରମିକ ଦେୟ ଓ ବୋନସ ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଦାବି ଜଣାଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଅନଶନ କରାଯାଇଥିଲା । ଏହି ଉପଲକ୍ଷେ ଦଳର ସ୍ଥାନୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଅନଶନସ୍ଥଳୀରେ ପହଞ୍ôଚଥିଲା । ସେଠାରେ ଦଳର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପସଭାନେତ୍ରୀ ପଙ୍କଜିନୀ ଲେଙ୍କା, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ସୁରେଶ ସାମଲ, ନିର୍ମଳ କର ପ୍ରମୁଖ ଯୋଜନାର ଦୁର୍ନୀତିକୁ ସମାଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ କମଳ କୁମାର ନନ୍ଦ, ଯୁବମୋର୍ଚ୍ଚା ସଭାପତି ପ୍ରତାପ ଦ୍ୱିବେଦୀ, ବାବାଜି ଚରଣ ଜେନା, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟା ରୁକ୍ମଣୀ ଦାସ, ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ଅଜୟ ରାଉତ, କରୁଣାକର ସାହୁ, ସୁରେଶ ଦାସ, ଅମୂଲ୍ୟ ସେଠୀ, ନିରଞ୍ଜନ ପୁହାଣ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଗତୀ ସାମଲଙ୍କ ସମେତ ବହୁ ବହୁ ଛାମୁଆଁ କାର୍ଯ୍ୟକର୍ତ୍ତା ଓ ଯୋଜନାରୁ ବଞ୍ôଚତ ଯୋଗ୍ୟ ବ୍ୟକ୍ତିମାନେ ଅନଶନରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ବିଡିଓ ଦେବଦତ୍ତ ଦାଶ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ୍ଦ୍ର ପାଣ୍ଡବ ଅନଶନସ୍ଥଳୀରେ ପହଞ୍ôଚ ଆଲୋଚନା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚଦଫା ସମ୍ବଳିତ ସ୍ମାରକପତ୍ର ଓ ଦଳ ପକ୍ଷରୁ ପ୍ରାପ୍ତହୋଇଥିôବା ଆବାସ ଆଶାୟୀ ଯୋଗ୍ୟ ପରିବାର ୯୯୨ଟି ଆବେଦନପତ୍ର ଗ୍ରହଣ କରିଥିଲେ । ଏହି ଦୁର୍ନୀତିକୁ ତଦନ୍ତ କରାଯିବା ସହ ଯୋଗ୍ୟ ପରିବାକୁ ଆବାସ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।