Odiapua.com

ଆବାସରେ ଆଧାର ଓ ଆକାଉଣ୍ଟ ଲିଙ୍କକୁ ଅବହେଳା, ୨୨ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକେ କେମିତି ପାଇବେ ଆବାସ ଘର ତାହା ପାଇଁ ଜିଲାପାଳଙ୍କ ଠାରୁ ଆରମ୍ଭ କରି ସଚିବସ୍ତରୀୟ ପର୍ଯ୍ୟନ୍ତ ଅଧିକାରୀ ଚିନ୍ତାରେ ପଡିଛନ୍ତି। ଆବାସ ଘର ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ହିତାଧିକାରୀଙ୍କ ନାମ, ମୋବାଇଲ୍ ନମ୍ବର, ଘରର ପୁରୁଷ ମୁଖିଆଙ୍କ ନାମ, ମହିଳା ମୁଖିଆଙ୍କ ନାମ, କମ୍ପ୍ୟୁଟରରେ ଚଢାଇବା ପାଇଁ ୬ ମାସ ହେଲା ନିର୍ଦ୍ଦେଶ ହୋଇଥିଲା। ପଞ୍ଚାୟତ ପିଇଓ, ଜିଆରଏସ୍‌ମାନେ ଖାମଖିଆଲି ନୀତି ଅବଲମ୍ବନ କରିଥିବାରୁ ଏହା ସଫଳ ହୋଇପାରୁନାହିଁ। ଯେଉଁଥିପାଇଁ ଆଧାର ସଂଲଗ୍ନରେ ୨୧୧୩ ଜଣଙ୍କ ନାମ ଏବଂ ଆକାଉଣ୍ଟ ସଂଲଗ୍ନରେ ୨୩୯୫ ଜଣଙ୍କ ନାମ ଏଯାଏଁ ଚଢାଯାଇପାରୁନାହିଁ। ଫଳରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରୁନି। ଏଥିପାଇଁ ପିଡିଡିଆରଡିଏ ଅସନ୍ତୋଷ ପ୍ରକାଶ କରି ତିହିଡି ବିଡିଓଙ୍କୁ କଡା ନିର୍ଦ୍ଦେଶ ଦେବା ପରେ ବିଡିଓ ତିହିଡି ଏହି ୨୨ ଜଣଙ୍କୁ ନିଜ ଚିଠି ନଂ ୨୨୦୭/୨୨ ବଳରେ ଜୁଲାଇ ମାସ ୫ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଥରକୁ ଥର ଏହି କର୍ମଚାରୀମାନେ ବିଡିଓଙ୍କ ଆଦେଶ ନଂ ୧୩୫୩ କୁ ଖାମଖିଆଲି କରିବା ସହ ମେ ୭ ତାରିଖରେ ସୋକଜ୍ ନୋଟିସ୍ ନଂ ୧୪୮୧ ଏବଂ ୩୧ ତାରିଖରେ ସୋଜକ୍ ନୋଟିସ୍ ନଂ ୧୭୪୨ କୁ ବି ଏମାନେ ଖାତିର କରିନାହାଁନ୍ତି।

ତୃତୀୟ ସୋ କଜ୍ ନୋଟିସ୍ ଚଳିତ ଜୁଲାଇ ୫ ରେ ଚିଠି ନଂ ୨୨୦୭ ବଳରେ ଦିଆଯାଇଛି। ଏହାପରେ ଏମାନଙ୍କ ଦରମା ବନ୍ଦ ନା ନିଲମ୍ବନ କରାଯିବ ତାହାର ବିଚାର କରିବେ ଜିଲାପାଳ। କାରଣ ଦର୍ଶାଅ ନୋଟିସ୍ ପାଇଥିବା ଅଧିକାରୀମାନେ ହେଲେ ବିଲଣା ଓ ବୋଡକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ମହାନ୍ତି, ବିଲଣା ପଞ୍ଚାୟତ ଜିଆରଏସ୍ ସନ୍ଧ୍ୟାରାଣୀ ସ୍ୱାଇଁ, ବୋଡକ ପଞ୍ଚାୟତ ଜିଆରଏସ୍ ହିମାଂଶୁ ନାୟକ, ତଳଗୋପବିନ୍ଧା ଏବଂ ବାରୋ ପିଇଓ ଗୋବିନ୍ଦ ଦାସ, ତାଳପଦା, କାଁପଡା ଏବଂ ଶ୍ୟାମସୁନ୍ଦରପୁର ପିଇଓ ମନୋରଂଜନ ଦଳେଇ, ଦୋଳସାହି ଜିଆରଏସ୍ ସସ୍ମିତା ପାଣିଗ୍ରାହୀ, ଫତେପୁର ଏବଂ ପାଳିଅବାିନ୍ଧା ପିଇଓ ଶ୍ରୁଭାଂଶୁ ତ୍ରିପାଠୀ, ପାଳିଆବିନ୍ଧା ଜିଆରଏସ୍ ପ୍ରଫୁଲ ହୋତା, ଫତେପୁର ଜିଆରଏସ୍ ନରେନ୍ଦ୍ର ସାହୁ, ବାମନବିନ୍ଧା ଏବଂ ସାହାପୁର ପିଇଓ ରତିକାନ୍ତ ମହାଳିକ, ବାମନବିନ୍ଧା ଜିଆରଏସ୍ ଦେବବ୍ରତ ପାଣିଗ୍ରାହୀ, ସାହାପୁର ଜିଆରଏସ୍ ତାପସ ମଲ୍ଳିକ, ଗୋବିନ୍ଦପୁର ପିଇଓ ସସ୍ମିତା ବାରିକ, ଗୋବିନ୍ଦପୁର ଜିଆରଏସ୍ ବିରଞ୍ôଚ ନାରାୟଣ ଦାସ, ସିନ୍ଦୋଳ ପିଇଓ ରୁନାରାଣୀ ମଲ୍ଲିକ, ଜିଆରଏସ୍ ଶୁଭଶ୍ରୀ ରାଉତ, ମୁକୁନ୍ଦପୁର ଜିଆରଏସ୍ ସୌଦାମିନୀ ନନ୍ଦ ଏବଂ ପିଇଓ ଅଶୋକ ପାଣି, ନରେନ୍ଦ୍ରପୁର ଏବଂ ଦୌଲତପୁର ପିଇଓ ନଳିନୀକାନ୍ତ ଦାସ, ଜିଆରଏସ୍ ଲୋପାମୁଦ୍ରା ପାଣି, ବାରସର ପିଇଓ ଅରୁଣ ପଣ୍ଡା, ବାରସର ଜିଆରଏସ୍ ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ୨୨ ଜଣଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଡିଓ। ୩ ଦିନ ମଧ୍ୟରେ ଏହି ସୋକଜ୍ ନୋଟିସ୍‌ର ଉତ୍ତର ଏବଂ ସରକାର ଦେଇଥିବା ଦାୟିତ୍ୱକୁ ନ ତୁଲାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ଏବେ ବ୍ଲକ୍ ଭିତରେ ଛନକା ପଶିଛି।