Odiapua.com

ଆପ୍ତିରା ସ୍କୁଲ୍ ଓ ଶିଶୁମନ୍ଦିରରେ ମାତୃଭାଷା ଦିବସ

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ବନ୍ତ ବ୍ଲକ ବଡ ବର୍ଚ୍ଚିକୟାଁ ପଂଚାୟତ ଆପ୍ତିରା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଆପ୍ତିରା ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମୂହ ଭାବେ ମାତୃଭାଷା ଓଡିଆରେ ବହୁଳ ବ୍ୟବହାର, ଓଡିଆ ଭାଷା, ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଶପଥ ପାଠ କରିବା ସହିତ ସମ୍ବିଧାନର ପ୍ରସ୍ତାବନାକୁ ଓଡିଆରେ ସମୂହ ପାଠ କରିଥିଲେ । ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ସର୍ମ୍ପକିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ଗୋପିନାଥ ଦାଶଙ୍କ ସଭାପତିତ୍ୱ ଓ ଗୌରାଙ୍ଗ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ସାଧାରଣ ସଭାରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରସାର ଓ ପ୍ରଚାର ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଅନୁଜା ପଣ୍ଡା ସ୍ୱାଗତ ଭାଷଣ ଓ ଶିକ୍ଷକ ପ୍ରଭାତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତା, ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରକାଶଥାଉକି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ମସିହାରୁ ପ୍ରତି ବର୍ଷ ଫେବୃଆରୀ ମାସ ୨୧ ତାରିଖରେ ବିଦ୍ୟାଳୟ ସ୍ତରୀୟ ମାତୃଭାଷା ଦିବସ ପାଳନ ହୋଇ ଆସୁଛି । ସେହିପରି ଆଗରପଡା ଶିଶୁ ମନ୍ଦିର ପକ୍ଷରୁ ଏହି ଦିବସ ପାଳିତ ହୋଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଧାକୃଷ୍ଣ ସ ଙ୍କ ତତ୍ୱାବଧାନରେ ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକ କାର୍ଡ ଧରି ବଜାର ପରିକ୍ରମା କରି ସଚେତନତାର ବାର୍ତା ଦେଇଥିଲେ । ବିଦ୍ୟାଳୟ ପରିସରରେ ଆୟୋଜିତ ସଚେତନତା ସଭାରେ ମାତୃଭାଷାର ସୁରକ୍ଷା, ଗୁରୁତ୍ୱ ଉପରେ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ଲିପିକା ଶତପଥି, ସ୍ୱାଗତିକା ମହୁରୀ, ବିବେକ ସେଠୀ, ଚିନ୍ତାମଣି ଶତପଥି, ଗିରିଶ୍ ମହାନ୍ତି,ଭଗବାନ ପଲେଇ,ସୌଭାଗ୍ୟଲକ୍ଷ୍ମୀ ସାହୁ,ଅରୁଣ କୁମାର ନାୟକ,ଜନପ୍ରିୟା ଦାଶ, ଲିନାରାଣି ବେହେରା, ପ୍ରତିମା ସାହୁ,ସବିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।