Odiapua.com

ଆନ୍ଦୋଳନ ତେଜିଲା,ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆହାର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ଉକ୍ତ ଚିକିତ୍ସାଳୟ ଭଦ୍ରକ ସହର ଠାରୁ ୨ରୁ ୩କିମି ଦୂରତା ମଧ୍ୟ। ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଭଦ୍ରକ ଜିଲ୍ଲା ସମେତ ପଡୋଶୀ ୪ଟି ଜିଲ୍ଳାର ରୋଗୀମାନେ ମଧ୍ୟ ନିର୍ଭର କରିଥାନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ଦୁର୍ଘଟଣା ଗ୍ରସ୍ତ ଯାତ୍ରୀ ମାନେ ଉକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେବାକୁ ବାଧ୍ୟ ହୋଇଥାନ୍ତି।ସେହିପରି ଦକ୍ଷିଣ ପୂର୍ବ ରେଳ ପଥ ଉକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ୩ରୁ ୪ କିମି ଦୂରତା ରେ ଗତିକରୁ ଅଛି। ରେଲୱେ ଷ୍ଟେସନ ଠାରୁ ଉକ୍ତ ହସ୍ପିଟାଲ ର ଦୂରତା ମଧ୍ୟ ୫ କିମି ହୋଇଥିବାରୁ ଦୁର୍ଘଟଣା ଜନିତ ରୋଗୀ ମାନେ ଏଠାକୁ ଚିକିତ୍ସିତ ହେବାକୁ ଆସନ୍ତି। ମାତ୍ର ଅତୀବ ଦୁଃଖର ବିଷୟ ଏହିକି, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ କୌଣସି ଆହାର କେନ୍ଦ୍ର ସ୍ଥାପିତ ହୋଇନାହିଁ। ଏପରିକି ବେସରକାରୀ ଭାବେ କୌଣଷି ଭୋଜନାଳୟ ନ ଥିବାରୁ ରୋଗୀ ମାନେ ତଥା ସେମାନଙ୍କ ସହଯୋଗୀ ମାନେ ଖଦ୍ୟବିନା ଭୋକ ଉପାସରେ ଅକଥନୀୟ ନିର୍ଯାତନା ରେ ଶିକାର ହେଉଛନ୍ତି। ଉକ୍ତ ଚିକିତ୍ସାଳୟ କୁ ପ୍ରତିଦିନ ଦୁଇ ହଜାର ରୁ ଅଧିକ ବାହ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଆସୁଥିବାବେଳେ ଏଠାରେ କୌଣସି ଭୋଜନାଳୟ ନଥିବାରୁ ଗରୀବ ରୋଗୀ ମାନେ ବଡ଼ ହଇରାଣ ହେଉଛନ୍ତି ଓ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଏହାର ସମାଧାନ ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ, ତଥା ଜିଲ୍ଲା ର ସାଧାରଣ ଜନତା ଓ ବୁଦ୍ଧିଜୀବୀ ମାନେ ଗତ ୧୯/୦୫/୨୦୨୪ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ମାତ୍ର ରଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇ ନ ଥିବାରୁ ଆଜି ଦିବା ୧୦ ଘଟିକା ସମୟରେ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ର ସଭପତି ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ କର୍ମକର୍ତା ଜିଲ୍ଲାପାଳ ଡ ଦିଲ୍ଲୀପ ରାଉତ ରାଏଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଆହାର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପୁନର୍ବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସମ୍ପାଦକ ଗାୟଧର ପଣ୍ଡା, ଉପସଭାପତି ଅଧିବକ୍ତା ଆଦିତ୍ୟ କୁମାର ନାୟକ, ନାରାୟଣ ପାଢ଼ୀ, ଶାନ୍ତି ଲତା ବାରିକ, ସଂଯୁକ୍ତା ଯାଦବ, ଗାନ୍ଧୀ ବିଚାର ମଂଚ ସଭାପତି ଶାନ୍ତନୁ ରାଉତ, ବରିଷ୍ଟ ନାଗରିକ ମନ୍ଦରଧର ଦୀକ୍ଷିତ,ଶିକ୍ଷାବିତ୍ କମଳାକାନ୍ତ ସ୍ୱାଇଁ, ଓ ଶିବ ପ୍ରସାଦ ଖାମୁରେଇ, ଡ ରାମ ଚନ୍ଦ୍ର ପଣ୍ଡା, ବାବୁଲାଲ ଦାସ, ମଦନ ମୋହନ ନାୟକ ପ୍ରମୁଖ ଉକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଆହାର କେନ୍ଦ୍ର ସ୍ଥାପନ ନିମନ୍ତେ ଜିଲ୍ଲପାଳଙ୍କୁ ଅନୁରୋଧ କରିଥିଲେ। ବୃହତର ଜନସ୍ୱାର୍ଥ ଦୃଷ୍ଟିରୁ ସଭାପତି ଶ୍ରୀ ପାଣିଗ୍ରାହୀ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ସଚୀବ ଙ୍କ ସହିତ କଥା ହୋଇ ଅବିଳମ୍ବେ ଏଠାରେ ଏକ ଆହାର କେନ୍ଦ୍ର ସ୍ଥାପନ ନିମନ୍ତେ ଦାବୀ କରିଥିଲେ। ଆଗାମୀ ଏକ ମାସ ମଧ୍ୟରେ ଯଦି ମୁଖ୍ୟ ମନ୍ତ୍ରୀ ଭଦ୍ରକ ଜିଲ୍ଲାବାସୀଙ୍କ ମୌଳିକ ଦାବୀ ସମାଧାନ ନିମନ୍ତେ ଅସହଯୋଗ କରନ୍ତି ତେବେ ଭଦ୍ରକ ଜିଲ୍ଲା ର ଜନସାଧାରଣ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସମସ୍ତ ବୁଦ୍ଧିଜୀବୀ ଜିଲ୍ଲାପାଙ୍କୁ କହିଥିଲେ।