Odiapua.com

ଆନ୍ତ ଜିଲ୍ଲା କ୍ଳବ କ୍ରିକେଟ : ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଚାମ୍ପିୟନ, ଆକାଶ ମହାପାତ୍ର ୨୧୫, ଦିପକ ନାୟକ ୧୨୩

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କ୍ରିକେଟ ଆସୋସିଏସନର ‘ଭିଜନ – ୨୦୨୪’ ପରିପ୍ରେକ୍ଷୀରେ ଭଦ୍ରକ ଚରମ୍ପା ସ୍ଥିତ ରେଲୱେ କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲ୍ଲା କ୍ଳବ କ୍ରିକେଟର ଆଜି ଫାଇନାଲ ମ୍ୟାଚ୍‌ରେ ଚରମ୍ପାର ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଚରମ୍ପା କ୍ରିକେଟ ଲାଡେମୀ ପରାସ୍ତ କରି ଚାମ୍ପିୟନ ହୋଇଛି । ଆଜି ବିଜୟଭାନୁ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪୪.୨ ଓଭରରେ ସମସ୍ତ ଉଇକେଟ ହରାଇ ବିଶାଳ ୪୩୭ ରନ କରିଥିଲା । ସେମିଫାଇନାଲରେ ବିସ୍ଫୋରକ ଅପରାଜିତ ୩୫୬ ରନ କରିଥିବା ଦଳର ଷ୍ଟାର ବ୍ୟାଟ୍‌ସମ୍ୟାନ ଆକାଶ ମହାପାତ୍ର ଆଜି ମଧ୍ୟ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ୧୦୧ ବଲରେ ୧୦ଟି ଛକା ଓ ୨୯ଟି ଚଉକା ବଳରେ ୨୧୫ ରନ କରିଥିଲେ । ତାଙ୍କ ସହିତ ଅନ୍ୟତମ ବ୍ୟାଟ୍‌ସମ୍ୟାନ ଦିପକ ନାୟକ ମଧ୍ୟ ଆକର୍ଷଣୀୟ ୧୨୩ ରନ କରିଥିଲେ । ଚରମ୍ପା ଏକାଡେମୀ ପକ୍ଷରୁ ସତ୍ୟମ୍ କୁମାର ୩ଟି, ସାହିଲ ଖାନ ୩ଟି ଓ ସତ୍ୟ ରାଉତ ୨ଟି ଉଇକେଟ ନେଇଥିଲେ । ୪୩୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚରମ୍ପା ଏକାଡେମୀ ୪୨ ଓଭରରେ ୧୨୩ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ସାହିଲ ଖାନ ୩୭ରନର ଇନିଙ୍ଗସ୍ ଖେଳିଥିଲେ । ବିଜୟଭାନୁ ଦଳର ସୌମ୍ୟ ରଂଜନ ବାରିକ ୩ଟି, ସତ୍ୟ ପ୍ରକାଶ ସାହୁ ୨ଟି ଓ ଆଶୀର୍ବାଦ ଦେବଦର୍ଶୀ ୨ଟି ଉଇକେଟ ନେଇଥିଲେ ।

ଦଳ ୩୧୪ ରନରେ ବିଜୟୀ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ତଥା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ତଥା ଓସିଏର ପୂର୍ବତନ ଅଧ୍ୟକ୍ଷ ଧୀରେନ ପଳାଇ, କ୍ୟୁରେଟର କେଶବ ସିନ୍‌ହା, ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଉପେନ୍ଦ୍ର ବାରିକ, କାର୍ଯ୍ୟକାରୀ କମିଟି ସଦସ୍ୟ ଅତିସ୍ ବେହେରା, ଉପସଭାପତି ଭବତୋଷ ଦାସ, ସଦସ୍ୟ ଜତିକାନ୍ତ ନାୟକ, ପାର୍ଥ ସାରଥୀ ଗୁହ, ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ନରେନ ପଲାଇ, ସୁଦାମ ନାୟକ, ସଂଜୀବ ଦାସ, ଓସିଏ କୋଚ କେ.ଭି. ପ୍ରସାଦ, କ୍ରୀଡ଼ା ଶିକ୍ଷକ ରବିନାରାୟଣ ଓଝା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଆକାଶ ମହାପାତ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚରେ ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ରଂଜନ ମହାନ୍ତି ରହିଥିବା ବେଳେ ସ୍କୋରର ଭାବେ ପ୍ରଦିପ୍ତ ନାୟକ ଓ ସସ୍ମିତା ସାହୁ ଦାୟିତ୍ୱ ନିର୍ବାହ କରିଥିଲେ ।