Odiapua.com

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି

ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ଏହାର କାୟା ବିସ୍ତାର କରିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତ ହଜାରରେ ପହଞ୍ଚିଥିବାରୁ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଆହୂତ ଏକ ଜରୁରୀ ବୈଠକ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ରୋକିବା ଓ ସଂକ୍ରମିତଙ୍କୁ ସୁସ୍ଥ କରାଯିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ପରିଚାଳିତ ସମସ୍ତ କରୋନା ଯୋଦ୍ଧାଙ୍କ ପ୍ରତି ମଞ୍ଚ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଥିଲା। ଅକ୍ଟୋବର ୧ ତାରିଖକୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ କରୋନା ମହାମାରୀ ଭଳି ବିପଦର ମୁକାବିଲା କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସମସ୍ତ କଟକଣା ଓ ପ୍ରତିବନ୍ଧକ ନିୟମ ଜାରି ରହିଛି, ତାହାକୁ ପାଳନ କରିବା ସକାଶେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସହଯୋଗ କରି ଆସିଥିବା କଥା ବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ତେବେ ଜିଲ୍ଲା ମହକୁମା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଆଞ୍ଚଳିକ ସ୍ତରରେ ଥିବା ସମସ୍ତ ବରିଷ୍ଠ ନାଗରିକ ମଞ୍ଚ ସୋସାଇଟି ଗୁଡ଼ିକ କୋଭିଡ଼୍‌-୧୯ ନିୟମ ଓ ସାମାଜିକ ଦୂରତ୍ୱ ରକ୍ଷାକରି ବିଶ୍ୱ ବରିଷ୍ଠ ନାଗରିକ ଦିବସଟିକୁ କରୋନା ମହାମାରୀ ବିରୋଧୀ ଜନସଚେତନତା ଦିବସ ଭାବରେ ନିଜ ନିଜ କ୍ଷେତ୍ରରେ ପାଳନ କରିବାକୁ ମଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ଉକ୍ତ ବୈଠକରେ ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ସଂପାଦକ ଦେବେନ୍ଦ୍ରନାଥ ଚୌଧୁରୀ, ଦାମୋଦର ନାୟକ, ଦେବବ୍ରତ ପାଣିଗ୍ରାହୀ, ଆଶୀଷ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟାଳୟ ସଂଯୋଜକ ମଧୁସୂଦନ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ।