Odiapua.com

ଆନ୍ତଃରାଜ୍ୟ ହାତୀଦାନ୍ତ ବ୍ୟବସାୟୀ ଏସ୍ ଟି ଏଫ୍ ଜାଲରେ

ନୟାଗଡ଼ ୧୨/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ଓ ଟାଙ୍ଗୀ ବନାଂଚଳରେ କିଛିଦିନ ହେଲା ହାତୀ ମାନଙ୍କ ଚଳପ୍ରଚଳ ବଢିବାରେ ଲାଗିଛି। ଏକରକମ୍ ହାତୀ ମଣିଷର ଲଢେଇ ଚାଲିଛି। ଯାହାକୁ ନେଇ ରଣପୁର ଓ ଟାଙ୍ଗୀ ଅଂଚଳର ହାତୀଦାନ୍ତ ବ୍ୟବସାୟୀଙ୍କର ଲୋଲୁପ ଦୃଷ୍ଟି ପଡିଛି। ହାତୀ ମାରିବା ପାଇଁ ବିଭିନ୍ନ ଜାଗାରେ ବିଦ୍ୟୁତ ତାର ଟଣା ଯାଉଛି। ତେଣୁ ହାତୀଙ୍କ ସୁରକ୍ଷା ପାଇଁ ହାତୀଦାନ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ୟାସ୍କ ଫୋର୍ସ ଗଠନ କରାଯାଇଥିଲା। ଏଥିରେ ଖୋର୍ଦ୍ଧା ନୀରିକ୍ଷକ ରଶ୍ମୀ ରଞ୍ଜନ ଦାସ, ରଣପୁର ବନାଂଚଳ ଅଧିକାରୀ ସୁବ୍ରତ କୁମାର ବେହେରା, ଖୋର୍ଦ୍ଧା ବନାଂଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡା, ରଣପୁର ବନପାଳ ମେରିନା ଗିରି ସାମିଲ୍ ହୋଇଥିଲେ। ହାତୀଦାନ୍ତ ବ୍ୟବସାୟ ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ପାରିଖେଦା ଓ ଦେଉଳି ଅଂଚଳରେ ହାତୀଦାନ୍ତ ଆନ୍ତଃରାଜ୍ୟ ଚୋରା ଚାଲାଣ କରୁଥିବା ମୁଖ୍ୟ ବ୍ୟବସାୟୀ ଶେଖ୍‌ ରଜାକ୍ କୁ ଗିରଫ ପାଇଁ ଜାଲ ବିଛାଇଥିଲେ। କିନ୍ତୁ ଟ୍ୟାସ୍କଫୋର୍ସ ଦଳ ଦେଖି ରଜାକ୍ ଦୈାଡି ପଳାଇଯିବା ସମୟରେ ରଣପୁର ବନାଂଚଳ ଅଧିକାରୀ ସୁବ୍ରତ ବେହେରା ତାକୁ କାବୁ କରିନେଇଥିଲେ।

ଆଖପାଖ ଲୋକ ଜମା ହୋଇ ରଜାକ୍ କୁ ଟ୍ୟାସ୍କଫୋର୍ସ କବଳରୁ ଛଡାଇ ନେଇଥିଲେ। ରଶ୍ମୀ ରଞ୍ଜନ ଦାସ ରଜାକ୍ କୁ ଫେରାର ହେବାରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ଙ୍କ ନାମରେ ମାମଲା କରିବେ ବୋଲି ଧମକ ଦେବାରୁ ରଜାକ୍ ବେଗୁନିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି। ଏସ୍ ଟି ଏଫ୍ ଦଳ ରଜାକ୍ କୁ ନିଜ ଜାଲ ଭିତରକୁ ନେଇ ପଚରା ଉଚୁରା ଚଲାଇଥିବା ଜଣାପଡିଛି। ସୂଚନା ଅନୁଯାଇ ରଜାକ୍ ତାର ସଢୁ ଆଠଗଡ ଥାନା ଅଧିନ କଟପଲ୍ଲା ଅଂଚଳର ଉରତ ଇନାୟତ୍ ଇଜରାଇଲ୍ ଖାଁ କୁ ହାତୀଦାନ୍ତ କିଲୋ ପିଛା ୨୦ ହଜାର ଟଙ୍କାରେ ବିକ୍ରୟ କରିଥିବା ଜଣାପଡିଛି। ଏହିଭଳି ୧୫ କେଜି ହାତୀଦାନ୍ତ ସେ ୮ ଥରରେ ବିକ୍ରୟ କରିଛି। ତାଙ୍କ ସହ କଲିକତାର ବାବୁ ଖାଁ ନାମକ ଆନ୍ତଃରାଜ୍ୟ ହାତୀଦାନ୍ତ ଚୋରା ବେପାରୀ ର ସର୍ମ୍ପକ ଥିବା ଜଣାପଡିଛି। ସ୍ୱତନ୍ତ୍ର ଟ୍ୟାସ୍କଫୋର୍ସ ପୁରା ର‌୍ୟାକେଟ କୁ ଧରିବା ପାଇଁ ଅଧିକ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି।