Odiapua.com

ଆନନ୍ଦମାର୍ଗ ଭଦ୍ରକ ଜିଲାର ଏକଦିବସୀୟ ଯୋଗଶିକ୍ଷା ଓ ଗ୍ରାମ୍ୟ ସ୍ୱଚ୍ଛତା ତାଲିମ ଶିବିର

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଆନନ୍ଦମାର୍ଗ ଆନୁକୂଲ୍ୟରେ କଲେଇ ପଂଚାୟତର ବଳଭଦ୍ରପୁରରେ ଏକଦିବସୀୟ ଯୋଗଶିକ୍ଷା ଓ ଗ୍ରାମ୍ୟ ସ୍ୱଚ୍ଛତା ତାଲିମ ଶିବିର ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ଗାନ୍ଧିଜୀଙ୍କ ଗ୍ରାମ୍ୟ ସ୍ୱଚ୍ଛତାକୁ ନେଇ ସସ୍ମିତା ବେହେରା, ରଶ୍ମିତା ବେହେରା, ସ୍ୱୟଂପ୍ରଭା ଧଳ, ପାୟଲ ମହାରଣା, ଅହଲ୍ୟା ମହାକୁଳ, ଗାୟତ୍ରୀ ପରିଡା, ବିନୀତା ମଲ୍ଲିକ, ସନ୍ଧ୍ୟାରାଣୀ ମଲ୍ଲିକ, ପୂଣ୍ୟତୋୟା ସାହୁ, ଦୀପ୍ତିମୟୀ ବେହେରା ପ୍ରମୁଖ ସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୋଲକାତାସ୍ଥିତ କେନ୍ଦ୍ରୀୟ ଆଇଏସ୍‌ଏମ୍‌ୟୁବିର ସଂପାଦକ ଆଚାର୍ଯ୍ୟ ପ୍ରିୟକ୍ରିଷ୍ଣା ନନ୍ଦ ଅଭଧୂତ ଯୁବକ-ଯୁବତୀମାନଙ୍କୁ ସକଳ ଜାଗତିକ କାର୍ଯ୍ୟ ସହିତ ପରମ ପୁରୁଷଙ୍କ ପ୍ରତି ଅନୁରକ୍ତି ବା ରାଗ ଏକ ଅତ୍ୟାବଶ୍ୟକୀୟ ପରାମର୍ଥିକ କର୍ତ୍ତବ୍ୟ ବୋଲି କହିଥିଲେ । ଏହାର ସାଧନା ଦ୍ୱାରା ଜୀବ ସହିତ ଶିବଙ୍କ ମିଳନ ଘଟି ଜୀବନର ପୂଣ୍ୟତା ପ୍ରାପ୍ତି ହେବ ବୋଲି ସେ କହିଥିଲେ ।

ପ୍ରାଉଡିଷ୍ଟ ବ୍ଲକ୍ ଇଣ୍ଡିଆର ରାଜ୍ୟ ସଂପାଦକ ଇଂ କାହ୍ନୁଚରଣ ବେହୁରା ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମାଜିକ, ଅର୍ଥନୈତିକ ଦର୍ଶନ, ପ୍ରଗତିଶୀଳ ଉପଯୋଗ ତତ୍ତ୍ୱ (ପ୍ରାଉଡ) ଉପରେ ଆଲୋକପାତ କରି ଏହି ଦର୍ଶନ ବିଶ୍ୱର ସମସ୍ତ ମାନବଜାତିର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ । ଏବଂ ଏ ଦିଗରେ ଆଜିର ଯୁବପିଢି ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିସହ ଏହି ଆନ୍ଦୋଳନ ଏକ ଯୁଗାନ୍ତକାରୀ ଅର୍ଥନୈତିକ ଦର୍ଶନ ବିଶ୍ୱକୁ ନୂଆରୂପ ଦେବ ବୋଲି କହିଥିଲେ । ଏହି ଶିବିରର ଉଦ୍ୟେକ୍ତା ଜଗନ୍ନାଥ ରାୟ ବସ୍ତୁଧର୍ମ, ଜୈବଧର୍ମ ଓ ମାନବଧର୍ମ ଉପର ଶିବିରାର୍ଥୀଙ୍କୁ ବୁଝାଇଥିଲେ । ଅପରାହ୍ନ ଅଧିବେଶନରେ ପୂର୍ଣ୍ଣିମା ବେହେରା, ବର୍ଷା ପ୍ରିୟଦର୍ଶିନୀ ପୁହାଣ, ମୋନାଲିସା ପାତ୍ର ଆଜିର ସମସ୍ୟା କିଭଳି ପ୍ରାଉଡ୍ ମାଧ୍ୟମରେ ସମାଧାନ ହୋଇପାରିବ ସେ ଦିଗରେ ସଂକ୍ଷିପ୍ତ ଟିପ୍ପଣୀ ରଖିଥିଲେ । ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ପ୍ରାର୍ଥନା ଚେନାଲର ଅଭିନେତା ବାଙ୍କବିହାରୀ ପାତ୍ର ଭିକାରୀ ବଳଙ୍କ ଭକ୍ତି ସଂଗୀତରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ । ଏବଂ ସମ୍ବଲପୁରୀ ରଂଗବତୀ ଗୀତରେ ଶୁଭଶ୍ରୀ ନାୟକ ଓ ସାଥୀ ଦର୍ଶକଙ୍କୁ ବିମୋହିତ କରିଥିଲେ । ସ୍ନେହଲତା ପାତ୍ର, ଚନ୍ଦ୍ରଗୁପ୍ତ ଲେଙ୍କା ବିଭିନ୍ନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିବାବେଳେ ଭଦ୍ରକ ମହାବିଦ୍ୟାଳୟର ଅର୍ଥଶାସ୍ତ୍ରର ଟପ୍ପର ପୂର୍ଣ୍ଣିମା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କଲେଜର ଛାତ୍ରୀଙ୍କ ମଧ୍ୟରେ ମୋନାଲିସା ପାତ୍ର, କୌଶଲ୍ୟା ବେହେରା, ଦୀପ୍ତିମୟୀ ବେହେରା, ମିତାଲି ମଲ୍ଲିକ, ମମତା ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସନାତନ ବେହେରା ଓ ପୂର୍ବତନ ପ୍ରଫେସର ପଦ୍ମଲୋଚନ ମହାନ୍ତି ଧନ୍ୟବାଦ ଜଣାଇଥିଲେ ।