Odiapua.com

ଆନନ୍ଦପୁରର ଗୋଚର ଜମିରେ ବେଆଇନ ଭାବେ ଘର ନିର୍ମାଣ, ତହସିଲ ନିରବ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧିନ ସୋଧ ରାଜସ୍ୱ ମଣ୍ଡଳର ଆନନ୍ଦପୁର ମୌଜାରେ ରକ୍ଷିତ, ଅନାବାଦି ଓ ଗୋଚର ଜମିରେ ବେଆଇନ ଭାବେ ଘର ନିର୍ମାଣ ବଢ଼ିବାରେ ଲାଗିଛି। ଆନନ୍ଦପୁର ମୌଜାର ଖାତା ନମ୍ବର ୫୯୯ ରେ ଥିବା ପ୍ଲଟ ନମ୍ବର ୧୧୪ରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଂଚଳର ଜଣେ ବ୍ୟକ୍ତି ଆସି ଏଠାରେ ଘର କରି ରହିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ଶ୍ୱଶୁର ଘର ଜମିକୁ ଲାଗିଥିବା ଗାଁ ଚଂପାବାଗ ରେ। ଏଣୁ ସ୍ଥାନୀୟ ଲୋକଙ୍କ ପ୍ରରୋଚନାରେ ସେ ଏଠାରେ ଘର କରି ରହୁଛନ୍ତି। କରୋନା କାଳରେ ୨୦୨୦ରେ ସେ ଏଠାରେ ପ୍ରାୟ ଦୁଇ ଡିସିମିଲ ଜାଗାରେ ଘର କରିଥିଲେ। ହେଲେ ପରବର୍ତୀ ମୁହୂର୍ତରେ ପ୍ରାୟ ୪ ଗୁଣ୍ଠ ଜମି ଘେରାଉ କରି ଦଖଲକୁ ନେଇ ସାରିଲେଣି। ଏବେ ସେହି ଜମିକୁ ପକ୍କା କାନ୍ଥ କରି ପାଚେରୀ ବୁଲାଉଥିବା ଦେଖିବାକୁ ମିଳିଛି। କେବଳ ଏହି ପ୍ଲଟ ନମ୍ବର ୧୧୪ ର ଜମି ନୁହଁ, ତାକୁ ଲାଗିକି ଥିବା ୧୧୫ ନମ୍ବର ପ୍ଲଟ (କିସମ- ଗୋଚର) ଜମିରେ ଘର ତିଆରି ହେଉଛି। ୨୦୦୮ ମସିହାରୁ ଏଠାରେ ଗୋଟିଏ ପରେ ଗୋଟିଏ ଘର ହେବାରେ ଲାଗିଛି। ପ୍ରଥମେ ପ୍ଲଟ ନମ୍ବର ୧୧୦ରେ ସ୍ୱର୍ଗତ ବଂଶୀଧର ସାହୁଙ୍କ ପୁଅ ଘରଟିଏ କରିଥିଲେ। ୧୯୯୯ ମସିହାରେ ତାଙ୍କ ପୈତୃକ ବାସଭବନ ମହାବାତ୍ୟା ପରବର୍ତୀ ବନ୍ୟାରେ ଭାଙ୍ଗି ଯିବାରୁ ଓ ଘାଇ ମୁହଁରେ ଜମି ଢିଅ ଚାଲି ଯିବାରୁ ସେ ଆସି ଏହି ଗୋଚର ଜମି ପ୍ଲଟ ନମ୍ବର ୧୧୦ ରେ ଘର କରିଥିଲେ। ତା ପରେ ସୁଧାକର କର ନାମକ ଜଣେ ପୂଜକ ଆସି ରହିଥିଲେ। ବିଗତ କିଛିବର୍ଷ ହେଲା ଏହି ଘରକୁ ବିଜୁ କଲୋନି ବୋଲି କୁହାଯାଉଛି। ଏଠାରେ ଗଞ୍ଜେଇ ଓ ମଦ ବେପାର ମଧ୍ୟ ଚାଲିଚି। ଆଉ ଜଣେ ଲୋକର ଉପଯୁକ୍ତ ପରିମାଣର ବାସ ଉପଯୋଗୀ ଘର ଡିହ ଥିବା ସତ୍ୱେ ସେ ଏଠାରେ ଘର କରି ରହୁଛି। ଏପରିକି ୨୦୧୬ ମସିହାରେ ଗେଙ୍ଗୁଟି ନଦୀବନ୍ଧ ସୁଦୃଢ଼ୀକରଣ କାମକୁ ଏହି ଲୋକମାନେ ବିରୋଧ କରିଥିଲେ। ଘର ଚାଲିଯିବା ଭୟରେ ବନ୍ଧକୁ ନଦୀପଟକୁ ଚଉଡ଼ା କରାଇଥିଲେ। ବିଭିନ୍ନ ସମୟରେ ଏନେଇ ସ୍ଥାନୀୟ ତହସିଲଦାରଙ୍କୁ ଗାଁ ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ୨୦୨୧ ମସିହାରେ ସ୍ଥାନୀୟ ବ୍ୟକ୍ତି ତତ୍କାଳୀନ ତହସିଲଦାରଙ୍କୁ ମେଲ ମାଧ୍ୟମରେ ଜଣାଇଥିଲେ। ପୂର୍ବତନ ଜିଲ୍ଲାପାଳ ତ୍ରିଲୋଚନ ମାଝିଙ୍କୁ ମଧ୍ୟ ଭେଟି ଗାଁ ଲୋକେ ଦରଖାସ୍ତ ପ୍ରଦାନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହି ବସ୍ତି ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହା ଫଳରେ ଲୋକଙ୍କର ସାହସ ବଢୁଛି। ଜଣକ ପରେ ଜଣେ ଆସି ଏଠାରେ ଘର କରି ରହୁଛନ୍ତି। ପ୍ରଥମେ ଚାଳିଆ ଘର କରୁଛନ୍ତି। ଆଉ ପର୍ଯ୍ୟାୟକ୍ରମେ କୋଠାଘର ତା ପରେ ପକ୍କା ପାଚେରୀ କରୁଛନ୍ତି। ଏନେଇ ଧାମନଗର ତହସିଲଦାର ଦୀପକ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଖୁବଶୀଘ୍ର ଏହି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ।