Odiapua.com

ଆଧୁନିକ ଓଡ଼ିଆ ନାଟକ ବାସ୍ତବ ଜୀବନର କଥା କହେ

ତିର୍ତ୍ତୋଲ୧୩/୨(ଓଡ଼ିଆ ପୁଅ/ଟୁକନ ସେଠୀ) -ଆଧୁନିକ ମଣିଷର ବାସ୍ତବ ଜୀବନର ଇସ୍ତାହାର ହିଁ ନାଟକ। ସ୍ୱାଧିନତା ପରବର୍ତ୍ତୀ କାଳର ନାଟକରେ ମଣିଷ ନୂତନ ଦିଗ ଓ ଦିଗନ୍ତ ଯଥାର୍ଥରେ ହୋଇଛି ଉନ୍ମୋଚିତ। ତିର୍ତ୍ତୋଲ ବ୍ଲକ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ପାଠ ଚକ୍ରରେ ମତପ୍ରକାଶ ପାଇଛି। ବିଭାଗୀୟ ମୁଖ୍ୟ ଡ଼. ସୁରଞ୍ଜନ ଲେଙ୍କାଙ୍କ ପୌରାହିତ୍ୟରେ ଆୟୋଜିତ ଏହି ପାଠଚକ୍ରରେ ମୁଖ୍ୟଅତିଥିଭାବେ ପ୍ରଫେସର ଜ୍ଞାନଜ କୁମାର ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନ ଅନ୍ୱେଷଣରେ ବ୍ରତୀ ହେବାଲାଗି ପ୍ରେରଣା ଦେଇଥିଲେ। ବିଷୟ ବିଶେଷଜ୍ଞା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼କ୍ଟର ସଂଘମିତ୍ରା ମିଶ୍ର ଯୋଗଦେଇ ସ୍ୱାଧିନତା ପରବର୍ତ୍ତୀ ଓଡ଼ିଆ ନାଟକର ରୂପରେଖ ଓ ଅନ୍ତସ୍ୱର ସଂପର୍କରେ ଆଲୋଚନା କରି ନାଟକ ହିଁ ବାସ୍ତବ ଜୀବନର କଥା କହେ ବୋଲି ମତପ୍ରଦାନ କରିଥିଲେ।

ମୁଖ୍ୟବକ୍ତାଭାବେ ବିଶିଷ୍ଟ ସ୍ତମ୍ଭକାର ପ୍ରଫେସର ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ନାଟକର ସାଂସପ୍ରତିକ ଗତି ଓ ପ୍ରକୃତି ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀ ମୋନାଲିସା ସାହୁ ଭିତ୍ତି ପ୍ରବଂଧ ପାଠ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଆଦିକବି ସାରଳାଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ପରଲୋକ ଗତ ବିପଳ୍ପବୀ କବି ରବି ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବପ୍ରାର୍ଥନା କରାଯିବାପରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଅଧ୍ୟାପକ ଡ଼କ୍ଟର ଅଶୋକ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗର ଛାତ୍ରୀ ମନସ୍ୱିନୀ ଆଚାର୍ଯ୍ୟ, ପ୍ରିୟଦର୍ଶିନୀ ପରିଜା, ଶୁଭଲକ୍ଷ୍ମୀ ଖୁଣ୍ଟିଆ, ଗାୟତ୍ରୀ ବେହେରା, ଲୋପାମୁଦ୍ରା ସ୍ୱାଇଁ, ବୈଶାଖୀ ଦାସ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ। ଅଧ୍ୟାପକ ଋତୁପଦ ମହାନ୍ତି, ଅଧ୍ୟାପକ ସୁମନ୍ତ କୁମାର ଭୋଇ ସଭା ପରିଚାଳନା କରିଥିବାବେଳେ ଅଧ୍ୟାପିକା ସ୍ୱାଗତିକା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।