Odiapua.com

ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

ସମ୍ବଲପୁର, ୨୨/୫ (ଓଡ଼ିଆ ପୁଅ) ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଚଳନ ହେବା ପରେ ୧୯୧୫-୧୬ ଓ ୧୯୧୬-୧୭ ବର୍ଷରେ ସମ୍ବଲପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା। ଉଭୟ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବିତରଣରେ ସଫଳତା ମିଲିଥିଲା। ସେତେ ବେଳେ ଏଥିପାଇଁ ଆଧାର କାର୍ଡ଼ ଜରୁରୀ ନଥିଲା। ହେଲେ ଏବେ ଏହି ବ୍ୟବସ୍ଥା ପାଇଁ ଆଧାର କାର୍ଡକୁ ବାଧ୍ୟବାଧକତା କରାଯାଇଥିବାରୁ ଯୋଜନା ପ୍ରଭାବିତ ହୋଇଥିବା କୁହାଯାଉଛି। ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ୧୯ ହଜାର ୭୭୨ଟି ମୃତ୍ତିକା ନମୁନା ପରୀକ୍ଷା କରାଯାଇଥିଲା। ହେଲେ ଏହି ଦୁଇ ବର୍ଷ ୨୫ ହଜାର ୧୦୦ଟି ମୃତ୍ତିକା ନମୁନା ପରୀକ୍ଷା ସକାଶେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥଲା। ୫୬ ହଜାର ୧୩୯ଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଏହି ଦୁଇ ବର୍ଷ ବିତରଣ କରାଯାଇଛି। ୨୦୧୫-୧୬ରେ ଆଧାର କାର୍ଡ଼ ଜରୁରୀ ନଥିବାରୁ ପ୍ରଥମ ସାଇକିଲରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ୨୫ ହଜାର ମୃତ୍ତିକା ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୫ ହଜାର ୪୫ଟି ମୃତ୍ତିକା ନମୁନାର ପରୀକ୍ଷା କରାଯାଇଥିଲା। ଉକ୍ତ ଦୁଇ ବର୍ଷ ଚାଷୀ ମାନଙ୍କୁ ୧ ଲକ୍ଷ ୧ ହଜାର ୬୨୫ଟି ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା। ୨୦୧୫ ମସିହାରେ ଜିଲ୍ଲାରେ ଏହି ଯୋଜନା ପ୍ରଥମେ କାର୍ଯ୍ୟକାରୀ ହୋଇଥିଲା। ଚାଷୀମାନଙ୍କୁ ସେମାନଙ୍କ ଜମିର ମାନ ନିରୂପଣ କରାଯିବା ସହିତ ଉପଯୂକ୍ତ ଫସଲ ପାଇଁ ଉଚିତ ପରାମର୍ଶ ଦେବାହିଁ ଯୋଜନାର ମୂଳ ଲକ୍ଷ୍ୟ ଅଟେ। ଯଦ୍ୱାରା ଚାଷୀ ମାନେ ଅଧିକ ଶସ୍ୟ ଅମଳ କରିପାରିବେ। ମୃତ୍ତିକା ପରୀକ୍ଷା ରିପୋର୍ଟ ଅନୁଯାୟୀ ଚାଷୀ ମାନେ ନିଜନିଜ ଜମିର ମାନ ଅନୁଯାୟୀ ଫସଲରେ ବିବିଧତା ଆଣି ଲାଭବାନ ହୋଇପାରିବେ। ଏପରିକି ଏହି ଯୋଜନାରେ ଜମିର ପୃଷ୍ଟିସାର ଓ ମାନ ବଢାଇବା ସକାଶେ ଚାଷୀ ମାନଙ୍କୁ କୃଷି ବିଭାଗ ଉପାୟ ବତାଇଥାଏ। ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ପ୍ରାୟ ଦୁଇ ଲକ୍ଷ୍ୟ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ଏଥିରୁ ୧ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଫସଲ କରାଯାଇଥାଏ। ସେହିଭଳି ଏହାର ଅଧା ଅଂଶରେ ରବି ଧାନ ଚାଷ କରାଯାଉଛି।