Odiapua.com

ଆଦିବାସୀ ସଂପ୍ରଦାୟର ଭିନ୍ନ ଶୈଳୀରେ ରଜପର୍ବ

ନୟାଗଡ଼ ୧୬/୦୬ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ହେଉଛି ମାଳ ରିଜର୍ଭ ଜଙ୍ଗଲ ଭିତରେ ଆଦିବାସୀ ଅଧ୍ୟୂଷିତ ଅଂଚଳ। ସାନମାଳ ଓ ବଡମାଳ ଭାବରେ ରହିଅଛି। ବଡମାଳ ଅଂଚଳ ର ଜାମୁଗଣ୍ଡ ଗ୍ରାମରେ ରାଜ ରାଜୁଡା ଅମଳରୁ ଭିନ୍ନ ଏକ କାଠି ରଜ ପାଳନ ହୋଇଆସୁଅଛି। ଏହି କାଠି ରଜ ୫ ଦିନ ବ୍ୟାପି ଚାଲିଥାଏ। ପହିଲି ରଜ ଦିନ ଆଦିବାସୀ ମାନଙ୍କ ଦିସାରୀ ଏକ ବାଉଁଶ ନେଇ ମା ଖିଲାମୁଣ୍ଡା ଙ୍କ ପୁଜାର୍ଚ୍ଚନା ପରେ ବିଶ୍ୱାସ ଅନୁଯାଇ ମା ଖିଲାମୁଣ୍ଡା କାଠିରେ ବିଜେ କରିଥାନ୍ତି। ସେହି କାଠି କୁ ଆଦିବାସୀ ମାନେ ଖମଣ, ଲାଖମୁଣ୍ଡୁଳି, ଟିକିରାଇପଡା, ନେଳିପଡା ଓ ଜରିପଡା ଗ୍ରାମ କୁ ଆଦିବାସୀ ଙ୍କ ପାରମ୍ପରିକ ନୃତ୍ୟ ରେ ପରିଭ୍ରମଣ କରାଇ ଜାମୁଗଣ୍ଡ ରଜ ପଡିଆକୁ ଆଣିଥାନ୍ତି।

ବିଧିବିଧାନ ଅନୁଯାଇ ଦିସାରୀ ୫ ଦିନ ବ୍ୟାପି ପୁଜାର୍ଚ୍ଚନା କରୁଥିବା ବେଳେ ସମସ୍ତ ଆଦିବାସୀ ପରିବାରରେ ରଜ ନିତୀକାନ୍ତି କୁ ପାଳନ କରିଥାନ୍ତି। ରାତ୍ରିସାରା ଦିନ ସାରା ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜଙ୍ଗଲ ପରିବେଶ କୁ ପ୍ରକମ୍ପିତ କରିଥାଏ। ପ୍ରତ୍ୟେକ ପରିବାର ରେ ବନ୍ଧୁବାନ୍ଧବ ପୁର୍ଣ୍ଣହୋଇ କାଠି ରଜ ର ମଜ୍ଜା ନେଇଥାନ୍ତି। ସେହିଭଳି ଭାବରେ ରଣପୁର ବାଳମୁକୁଳି, କରଡାପଲ୍ଲି, ଗଡବାଣିକିଲୋ, ଖତିଆ ଆଦି ବିଭିନ୍ନ ଗ୍ରାମରେ ରଜ ଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି। ୨ ବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଘରେ ଘରେ ଲୋକମାନେ ରଜ ପାଳନ କରୁଥିଲେ ମଧ୍ୟ ବାହାରେ ରଜ ଯାତ୍ରାର ଅନୁଭବ କରି ପାରୁନଥିଲେ। କିନ୍ତୁ ଚଳିତ ବର୍ଷ ରଜ ଯାତ୍ରା ସମୟରେ ଲୋକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି।