Odiapua.com

ଆଦିବାସୀଙ୍କ କଲ୍ୟାଣ କଥା କହିବାକୁ ବିଜେପିର ନୈତିକ ଅଧିକାର ନାହିଁ: ବିଜେଡି

ଭୁବନେଶ୍ୱର, ୧୯/୧୦ (ଓଡ଼ିଆ ପୁଅ) : ଓଡିଶା ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି କେବଳ ଓଡିଶାର ନିରୀହ ଆଦିବାସୀମାନଙ୍କ ଉପରେ ରାଜନୀତି କରିବାକୁ ଆଗ୍ରହୀ ଥିବାବେଳେ ଆଦିବାସୀଙ୍କ କଲ୍ୟାଣ ପ୍ରତି ତାଙ୍କର ଆଗ୍ରହ ନାହିଁ ଯାହା ଅତ୍ୟନ୍ତ ଦୁଃଖର ବିଷୟ। ଓଡିଶା ବିଜେପି ପାଇଁ ଏହା କେବଳ ଏକ ରାଜନୈତିକ କାର୍ଡ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି।

ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମାଝି କହିଛନ୍ତି ଯେ ଆଦିବାସୀ କଲ୍ୟାଣ ବିଷୟରେ କହିବାକୁ ଓଡ଼ିଶା ବିଜେପିର ନୈତିକ ଅଧିକାର ନାହିଁ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ସେମାନଙ୍କ ଦଳର ସରକାର ଆଦିବାସୀ ଛାତ୍ରବୃତ୍ତି ବନ୍ଦ କରିଦେଇଛନ୍ତି। ଆଦିବାସୀ ବିକାଶ ଏବଂ ଆଦିବାସୀ କଲ୍ୟାଣ ପାଇଁ ଦିଆଯାଉଥିବା ଅର୍ଥକୁ ତାଙ୍କରି ଦଳ ପରିଚାଳିତ ସରକାର ହ୍ରାସ କରିଛନ୍ତି। ଓଡିଶାର ବିଜେପି ସାଂସଦମାନେ ଦିଲ୍ଲୀରେ ଆଦିବାସୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବନ୍ଦ କରିଦେଇଛନ୍ତି।

ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଏବଂ ଜାତିର ଅର୍ନ୍ତଭୁକ୍ତିକୁ ସେମାନଙ୍କ ଦଳ ପରିଚାଳିତ କେନ୍ଦ୍ର ସରକାର ବହୁ ବର୍ଷ ଧରି ପକାଇ ରଖିଛନ୍ତି। ସମ୍ବିଧାନର ସପ୍ତମ ଧାରାରେ ଆଦିବାସୀ ଭାଷାକୁ ଅର୍ନ୍ତଭୁକ୍ତ କରିବା ବି କେନ୍ଦ୍ର ସରକାରଙ୍କର ବିଚାରାଧୀନ ଅଛି ଯଦିଓ ଓଡ଼ିଶା ସରକାର ସେମାନଙ୍କ ଅନ୍ତର୍ଭୁକ୍ତ ପାଇଁ ଜୋର ଦେଇ ଆସୁଛନ୍ତି। ବିଜୁ ଜନତା ଦଳର ସାଂସଦମାନେ ବାରମ୍ବାର ସଂସଦରେ ଏହାକୁ ଅନ୍ତର୍ଭୁକ୍ତ ପାଇଁ ଦାବି କରି ଆସୁଛନ୍ତି।

ଏହା ସତ୍ୱେ ଓଡିଶା ସରକାର ଆଦିବାସୀମାନଙ୍କ ପାଇଁ ଜମିଜମା ରେକର୍ଡ ସୁନିଶ୍ଚିତ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ବ୍ୟାପକ ବିକାଶ ସେମାନଙ୍କର ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ବ୍ୟାପକ ଉନ୍ନତି ଆଣିଛି। ସମଗ୍ର ଦେଶରେ ଓଡିଶା ସର୍ବାଧିକ ପରିମାଣର ଛାତ୍ରବୃତ୍ତି ପ୍ରଦାନ କରୁଛି।

ଆଦିବାସୀ ହଷ୍ଟେଲଗୁଡିକରେ ଓଡିଶାରେ ସର୍ବାଧିକ ଝିଅ ଅଛନ୍ତି ଏବଂ ଓଡିଶା ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଏସ୍‍ଡିସି ଥିବା ଏକମାତ୍ର ରାଜ୍ୟ ଯେଉଁଠାରେ ବ୍ୟାପକ ବିକାଶମୂଳକ କାର୍ଯ୍ୟ କରାଯାଇଛି।

ଆଦିବାସୀ ପ୍ରସଙ୍ଗକୁ ନେଇ ରାଜନୀତି କରିବା ପରିବର୍ତ୍ତେ, ଓଡିଶା ବିଜେପି ଦିଲ୍ଲୀ ଦରବାରରେ ପଡି ରହିଥିବା ଆଦିବାସୀଙ୍କ ଦାବି ଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ ତାଙ୍କର ଦଳ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ଉଚିତ୍‍ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

ଓଡିଶାର ଜନସାଧାରଣ ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଓଡ଼ିଶା ବିଜେପିର ଏହି କୁମ୍ଭୀର କାନ୍ଦଣାକୁ ଦେଖୁଛନ୍ତି ଏବଂ ସେମାନଙ୍କର ବିକାଶକୁ ଅବହେଳା କରି କେବଳ ହୀନ ରାଜନୀତି କରିଥିବାରୁ ସେମାନେ ବିଜେପିକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି।