ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଦେଶର ମହାନ ବରପୁତ୍ର ତଥା ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଦେଶ ବ୍ୟାପି ପରାକ୍ରମ ଦିବସ ରୂପେ ପାଳନ କରାଯାଉଛି। ଆଦାନି ଫାଉଣ୍ଡେସନ ପରିଚାଳିତ, ଧାମରା ବନ୍ଦର ଅଧୀନସ୍ଥ ଆଦାନି ଡିଏଭି ପବ୍ଲିକ ସ୍କୁଲରେ ପରାକ୍ରମ ଦିବସ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହା ସହିତ ଓଡ଼ିଶାର ଅନ୍ୟତମ ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ ତମ ଜୟନ୍ତୀ ମଧ୍ୟ ବିଦ୍ୟାଳୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷା କ୍ରିଷ୍ଣାପ୍ରିୟା ଷଢ଼ଙ୍ଗୀ ଓ ସମସ୍ତ ଶିକ୍ଷକ ଶକ୍ଷୟିତ୍ରୀ ଉଭୟ ବରପୁତ୍ରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଶିକ୍ଷୟିତ୍ରୀ ମୁନମୁନ୍ ରାନୀ ଦୀପ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ଉପଲକ୍ଷେ ନିଜର ବକ୍ତବ୍ୟ ରଖି ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ସାହୁ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପୃଷ୍ଟି ଓ ଗୀତାଞ୍ଜଳି କୁମାରୀ ନିଜର ବକ୍ତବ୍ୟରେ ଉଭୟ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ବୀରତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିଦ୍ଧ୍ୟାନନ୍ଦ ପ୍ରଧାନ, ନମ୍ରତାମୟୀ ସ୍ୱାଇଁ, ପ୍ରାଞ୍ଜଲ ପାନ ଓ ନୀଲା ସଞ୍ଜିବନୀ ଏହି ଦୁଇ ମହାନ ବିପ୍ଳବୀଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଏମ. ଆର. ଆନମୋଲ ଏକ ସ୍ୱରଚିତ କବିତା ଆବୃତି କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୌତୁକ ବେଶ ପ୍ରତିଯୋଗିତା ଆୟୋଜନ ପୂର୍ବକ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଆଧାରିତ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କ୍ରିଷ୍ଣାପ୍ରିୟା ଷଢ଼ଙ୍ଗୀ ଏହି ଦୁଇ ବୀର ସଂଗ୍ରାମୀମାନଙ୍କର ଅପୂର୍ବ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରିବା ସହିତ ଛାତ୍ରଛାତ୍ରୀମାନେ ଏହି ବରପୁତ୍ରଙ୍କର ପଦାନୁସରଣ କରି ଦେଶମାତୃକାର ସେବାପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷୟିତ୍ରୀ ରିତୁ ଚୌହାନ ଓ ସରୋଜିନୀ ତ୍ରିପାଠୀ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବାବେଳେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିବେକାନନ୍ଦ ସାହୁ ଓ ତୀର୍ଥଚନ୍ଦନ ପ୍ରଧାନ କାର୍ଯ୍ୟକ୍ରମକୁ ଅନଲାଇନ ମାଧ୍ୟମରେ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମମତା ପଟ୍ଟାୟତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।