Odiapua.com

ଆଦର୍ଶ ଶିକ୍ଷୟିତ୍ରୀ ଉର୍ମିଳା ସ୍ୱାଇଁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକଙ୍କ ଗୁଣବତ୍ତା ଓ ଲୋକପ୍ରିୟତା ତାଙ୍କର ଅବସର ପରେ ଜଣାପଡିଥାଏ । ଏହିଭଳି ଜଣେ କର୍ତ୍ତବ୍ୟ ପରାୟଣ କର୍ମବୀରା ଶିକ୍ଷୟିତ୍ରୀ ଥିଲେ ଭଦ୍ରକ ପୌରପାଳିକା ପାତ୍ରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଉର୍ମିଳା ସ୍ୱାଇଁ । ଦୀର୍ଘ ତିନି ଦଶନ୍ଧି ଧରି ଶିକ୍ଷାଦାନ ଭଳି ଏକ ମହତ୍ ଦାନ କରିଆସୁଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଇଁ ଉକ୍ତ ବିଦ୍ୟାଳୟରେ ୧୫ ବର୍ଷ ଧରି ନିଜର କର୍ମ ସଂପାଦନ କରିବା ମଧ୍ୟରେ ଆଜି ଅବସର ଗ୍ରହଣ କରିଛନ୍ତି । ଏଥି ଉପଲକ୍ଷେ ପାତ୍ରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ଚରଣ ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଜେନାଙ୍କ ସମେତ ସହକର୍ମୀ ମିନତୀ ମଲ୍ଲିକ, ଅଳକା ପୁହାଣ, ଅହିଂସା ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୁକାନ୍ତି ପ୍ରଧାନ, ସିଆରସିସି ରଚନା ପାଲ , ବହୁ ବିଶିଷ୍ଟ ଅତିଥି ଓ ଛାତ୍ରଛାତ୍ରୀ ଯୋଗଦେଇ ଶ୍ରୀମତୀ ସ୍ୱାଇଁଙ୍କ କର୍ମ ସଂପାଦନ, ନିଷ୍ଠାପରତା, ଅମାୟିକ ବ୍ୟବହାର ଭଳି ଗୁଣାବଳୀର ଅବତାରଣା କରିଥିଲେ ।

ଏବଂ ସେ ବିଦ୍ୟାଳୟରେ କେବଳ ଶିକ୍ଷାଦାନ ନୁହେଁ ବୃକ୍ଷରୋପଣ ଭଳି ଘଟଣାମୂଳକ କାର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ଗହଣରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଓ ସହକର୍ମୀଙ୍କ ମଧ୍ୟରେ ଜଣେ ପ୍ରିୟ ବାନ୍ଧବୀର ଭୂମିକା ଲିଭାଇବା ସହ ସ୍ଥାନୀୟ ଶିଶୁ ଅନାଥଶ୍ରମ ବାତ୍ସଲ୍ୟର ସଭ୍ୟା ଭାବେ ଯେଭଳି କାର୍ଯ୍ୟ ତୁଲାଇଥିଲେ, ତାହା ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ କରି ରଖିବ ବୋଲି ବକ୍ତାମାନେ ନିଜର ବକ୍ତବ୍ୟରେ କହିଥିଲେ । ଏଥିସହ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେବାର କାମନା କରିଥିଲେ । ଶ୍ରୀମତୀ ସ୍ୱାଇଁ ନିଜର ସମ୍ବର୍ଦ୍ଧନାର ଉତ୍ତରରେ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଯେଉଁ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କ ଗହଣରେ ଦୀର୍ଘବର୍ଷ କଟାଇଥିଲେ, ତାହାର ସ୍ମୃତିଚାରଣ କରିବା ସହ ଏହି ବିଦ୍ୟାଳୟ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଏକ ଅଭୁଲା ସ୍ମୃତି ହୋଇରହିବ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଶ୍ରୀମତୀ ସ୍ୱାଇଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ବୈଷ୍ଣବ ଚରଣ ସ୍ୱାଇଁଙ୍କ କନ୍ୟା ଶିକ୍ଷାବିତ୍ ପ୍ରାଧ୍ୟାପକ ବିଶ୍ୱନାଥ ନାୟକଙ୍କ ସହଧର୍ମିଣୀ ଓ ବନ୍ତ ବ୍ଲକ୍ ଅଣ୍ଢିଆ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ନାୟକଙ୍କ କନିଷ୍ଠ ପୁତ୍ରବଧୂ ଅଟନ୍ତି ।