ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଜଣେ ଆଦର୍ଶ ଶିକ୍ଷାବିତ୍ ତଥା ସମାଜସେବୀ ବିଜୟ ପଣ୍ଡାଙ୍କର ହୃଦଘାତରେ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସ୍ୱର୍ଗତଃ ପଣ୍ଡା ତାଙ୍କର ଶିକ୍ଷକତା କାଳରେ ମଇତାପୁରସ୍ଥିତ ମୁଣ୍ଡିମରା ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଦାନ ଆରମ୍ଭ କରି ବିଷ୍ଣୁପୁର ୟୁଜିଏମଇ ସ୍କୁଲରେ ଅବସର ନେଇଥିଲେ। ସେ ଜଣେ ଛାତ୍ରବତ୍ସଳ, ବନ୍ଧୁପ୍ରିୟ, ନିଷ୍ଠାବାନ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ସେ ନିଜର ଜନ୍ମମାଟି ଧାମନଗରର ମହୁରା ପିରିପୁର ଅଂଚଳରେ ବହୁ ସମାଜସେବା କରିବା ସହ ଏବେ ରହୁଥିବା ସାମରାଏପୁର ପ୍ରାଚୀନଗରସ୍ଥିତ ଅଟଳ ମାର୍ଗ ଅଂଚଳରେ ମଧ୍ୟ ବହୁ ଜନସେବା କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ପଣ୍ଡା ଗତକାଲି ଅସୁସ୍ଥ ଅନୁଭବ କରିବାରୁ ଭଦ୍ରକ ତହସିଲର ରାଜସ୍ୱ ପରିଦର୍ଶକ ଜ୍ୟୋତିରଞ୍ଜନ ପଣ୍ଡା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ତେବେ ଚିକିତ୍ସା କାଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ରଶ୍ମିରଞ୍ଜନ ପଣ୍ଡା, ପୁତ୍ରବଧୂ ସରିତା ଦାଶ, ରିନାରାଣୀ ପଣ୍ଡା, ଝିଅ-ଜ୍ୱାଇଁ ଓ ନାତି-ନାତୁଣୀ ଉପସ୍ଥିତ ଥିଲେ। ତାଙ୍କୁ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତଃ ପଣ୍ଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମର ଶରୀରରେ ଶ୍ରଦ୍ଧାଶୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।