Odiapua.com

ଆଦର୍ଶ ଶିକ୍ଷାବିତ୍ ଓ କର୍ତବ୍ୟନିଷ୍ଠ ପ୍ରଶାସକ କମଳାକାନ୍ତ ରାୟଙ୍କ ପ୍ରତିମୂର୍ତି ଅନାବରଣ ସମାରୋହ, ସ୍ପଷ୍ଟବାଦୀ ନିରପେକ୍ଷ ବିଚାରଧାରା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ ଥିଲା – ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳ

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଆଦର୍ଶ ଶିକ୍ଷାବିତ୍‌, ସମାଜସେବୀ ତଥା କର୍ତବ୍ୟନିଷ୍ଠ ପ୍ରଶାସକ ଭାବେ ସ୍ୱର୍ଗତଃ କମଳାକାନ୍ତ ରାୟଙ୍କ ବାଲ୍ୟକାଳ ସରଳ, ସାବଲୀଳ ତଥା ନିରାଡମ୍ବର ଭାବେ ବିତିଥିଲାବେଳେ କୈଶୋର ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ଜଣେ ସାଲିସ୍ ବିହୀନ ବ୍ୟକ୍ତିତ୍ୱର ଅଧିକାରୀ ଥାଇ ନିଜ ଶିଙ୍ଗରେ ଯୁଝି ଯୁଝି ଜୀବନର ସମସ୍ତ ସଫଳତାକୁ ସେ ସମୟର ସଇକତରେ ଗୋଟାଇଥିଲେ। ଜଣେ ବାସ୍ତବବାଦୀ, ଅମାୟିକ ଛନ୍ଦକପଟ ହୀନ ସ୍ପଷ୍ଟବାଦୀ ନିରପେକ୍ଷ ବିଚାରଧାରା ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗନ୍ତ ହୋଇଥିବାବେଳେ ସେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ନଥାଇ ମଧ୍ୟ ସମସ୍ତ ଶାସକ ତଥା ବିରୋଧୀ ଦଳର ନେତୃବୃନ୍ଦଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଭଦ୍ରକର କଲେଇ ପଂଚାୟତ ଅଧୀନସ୍ଥ ବଳଭଦ୍ରପୁରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ରାୟ ନିଜର ଚାକିରୀ ଜୀବନ ନିଜ ଅଂଚଳରେ ପ୍ରଧାନ ଶିକ୍ଷକରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ସଚିବାଳୟ, ଖୋର୍ଦ୍ଧାରେ କୋ-ଅପରେଟିଭ୍ ଇନ୍ସିପେକ୍ଟର, ସୁନ୍ଦରଗଡରେ ସପ୍ଲାଏ ଇନ୍ସିପେକ୍ଟର ଏବଂ ସର୍ବଶେଷରେ ଜେଲ୍ ବିଭାଗର କାରା ନିରୀକ୍ଷକ ଭାବେ ନିଷ୍ଠାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ନିଜ ଜୀବନକାଳ ମଧ୍ୟରେ ସେ କେବଳ ନିଜ ଅଂଚଳ ନୁହେଁ ଓଡ଼ିଶାର ବିଭିନ୍ନ ଜିଲାରେ ଜଣେ ସୁଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିବା ମଧ୍ୟରେ ବହୁ ଜନକଲ୍ୟାଣକାରୀ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ ବୋଲି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଉନ୍ମୋଚିତ ପ୍ରତିମୂର୍ତି ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଭଦ୍ରକର କଲେଇ ସ୍ଥିତ ବଳଭଦ୍ରପୁରରେ ଅନୁଷ୍ଠିତ ସ୍ୱର୍ଗତଃ ରାୟଙ୍କ ଏହି ସ୍ମୃତି ପ୍ରତିମୂର୍ତି ଉନ୍ମୋଚନ ସମାରୋହକୁ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ଓ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଫିତା କାଟି ଉଦ୍‌ଘାଟନ କରିଥିଲେ। ଏହି ସ୍ମୃତି ସମାରୋହରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟଶ୍ରୀ ନିର୍ମଳ ରାଉତ, ପ୍ରଫେସର ଡ. ଅରୁଣ କୁମାର ଲେଙ୍କା, ସମାଜସେବୀ ଜଗନ୍ନାଥ ରାୟ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ରାୟ, ସତ୍ୟସାଇ ବିଦ୍ୟାବିହାରର ଅଧ୍ୟକ୍ଷ ପ୍ରତାପ ସାହୁ, ଜ୍ୟେଷ୍ଠ ପୁତ୍ର ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ନାରୀନେତ୍ର ଶ୍ରଦ୍ଧାଞ୍ଜଳି ପ୍ରଧାନ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ବିଜେଡି ନେତା ବିକାଶ ଶ୍ରେଷ୍ଠା, ସାମ୍ବାଦିକ ସଂଜୀବ ନାୟକ, ଅବଦୁଲ ଫିରୋଜ ଖାନ, ପ୍ରକାଶ ବାରିକ, ଜାମାତା ବୀରକିଶୋର ପ୍ରଧାନ, ରବିନାରାୟଣ ପାତ୍ର, ଶାଶ୍ୱତ ନାୟକ, ଇଂ ପ୍ରିୟବ୍ରତ ନାୟକ, ଆଶିଷ ସାହୁ, ସମାଜସେବୀ ଗୌରଗୋପାଳ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ରାୟଙ୍କ ସ୍ମୃତିଚାରଣ କରିଥିଲେ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତଃ ରାୟଙ୍କ ଭ୍ରାତା ରମାକାନ୍ତ ରାୟ, ଉମାକାନ୍ତ ରାୟ, ପୁତୁରା ଇଂ ତାପସ ରାୟ, ଶିବାନନ୍ଦ ରାୟ, ସତ୍ୟରଞ୍ଜନ ରାୟ, ଦିବ୍ୟଜ୍ୟୋତି ରାୟ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସ୍ୱର୍ଗତଃ ରାୟଙ୍କ କନିଷ୍ଠ ପୁତ୍ର ମନୋଜ ରାୟ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।