Odiapua.com

ଆଦର୍ଶ ଶିକ୍ଷକ ୰ ନବ କିଶୋର ପଲାଇଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବରାଙ୍ଗ ଗ୍ରାମର ଆଦର୍ଶ ପ୍ରଧାନ ଶିକ୍ଷକ ନବକିଶୋର ପଲାଇଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ସଭା ତାଙ୍କ ଜନ୍ମସ୍ଥାନ ବରାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ସେବା ନିବୃତ୍ତ ଶିକ୍ଷକ ବାବାଜୀ ଚରଣ ସାମଲ ସଭାପତିତ୍ୱ କରିଥିଲେ । ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଇଂ ଅଭୟ ସୂତାର, ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଜ୍ଞାନପ୍ରକାଶ ପାଣୀ, ପଣ୍ଡିତ ଦୈତାରୀ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୰ ପଲାଇଙ୍କ ସ୍ମୃତିଚାରଣ କରିବା ସହ ବ୍ୟକ୍ତିଗତ ଅନୁଭୂତି ରଖିଥିଲେ । ପ୍ରଶାନ୍ତ କୁମାର ତ୍ରିପାଠୀ ସଭା ପ୍ରାରମ୍ଭରେ ବେଦ ପାଠ କରିଥିବାବେଳେ, ଆଇନଜୀବୀ ଗଦାଧର ବଳ ଅତିଥି ପରିଚୟ ପ୍ରଦାନ କରି ୰ ପଲାଇଙ୍କ ଜୀବନାଦର୍ଶ ଉପରେ ସମ୍ୟକ ସୂଚନା ରଖିଥିଲେ । ସେହିପରି କେଦାରପୁର ସରପଞ୍ଚ ଭରତ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ତଥା ସହକର୍ମୀ ସୁରେନ୍ଦ୍ର ବିଶ୍ୱାଳ, ବିଜେଡ଼ି ନେତା ରବିନ୍ଦ୍ର ନାୟକ, ଶିକ୍ଷାବିତ୍ ଶରତ ନାୟକ, ଅବସରପ୍ରାପ୍ତ ବିଏସଏନଏଲ ଅଧିକାରୀ ଭାସ୍କର ଚନ୍ଦ୍ର ଜେନା, ବସନ୍ତ ମହାନ୍ତି, ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ନିଜ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ୰ ପଲାଇଙ୍କ କନିଷ୍ଠ ପୁତ୍ର ଅଜୟ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।