Odiapua.com

ଆଦର୍ଶ ଗ୍ରାମ ଯୋଜନା ଅର୍ଥ ହଡ଼ପ ଅଭିଯୋଗ ଜିଲ୍ଲାପାଳଙ୍କଠାରେ ମହାପଦାବାସୀଙ୍କ ଫେରାଦ

ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବ୍ଲକ ଓଲଦା ସାରଗାଁ ପଞ୍ଚାୟତରେ ସରକାରଙ୍କ ଆଦର୍ଶ ଗ୍ରାମ୍ୟ ଯୋଜନାର ଅର୍ଥ ହଡ଼ପ ନେଇ ମହାପଦା ଗ୍ରାମର ୱାର୍ଡ଼ ମେମ୍ବର ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଆଦର୍ଶ ଗ୍ରାମ ଯୋଜନାରେ ଏହି ଗ୍ରାମର ସାମୂହିକ ଉନ୍ନତୀକରଣ ପାଇଁ ମଞ୍‌ଜୁର ହୋଇଥିବା ୪୦ ଲକ୍ଷ ଟଙ୍କାକୁ ବିନା କାର୍ଯ୍ୟରେ ଆତ୍ମସାତ କରାଯାଇଥିବା ନେଇ ୱାର୍ଡ଼ ମେମ୍ବର ଓ ସଚେତନଶୀଳ ଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି। ଏମିତିକି ଅନ୍ୟାନ୍ୟ ଯୋଜନାରେ ଏକାଧିକ ପ୍ରକଳ୍ପର କାର୍ଯ୍ୟ ନ ହୋଇ ଅର୍ଥ ହଡ଼ପ ହୋଇଥିବା ସେମାନେ କହିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ସହ ଅସାଧୁ ବିଭାଗୀୟ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଏନେଇ ଗ୍ରାମାବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ୱାର୍ଡ଼ମେମ୍ବର ଆରତୀ ଦାସ, ରବୀନ୍ଦ୍ର ଦାସଙ୍କ ସମେତ ତପନ କୁମାର ଦାସ, ରାମ ଦାସ, ଭରତ ଦାସ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।