Odiapua.com

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ – ରିଟର୍ଣ୍ଣିଂ ଅଫିସରଙ୍କଠାରେ ବିଜେପିର ଫେରାଦ

ବାଲେଶ୍ୱର, ୨୮ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ରଣକୌଶଳ ପ୍ରୟୋଗ କରାଯାଉଥିଲେ ବି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଆରୋପ ଉଠାଇଛି ବିଜେପି। ପୂର୍ବରୁ ଶାସକ ଦଳ ବିଜେଡିର କର୍ମୀ ଓ ନେତାମାନେ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ବିଜେପି ଅଭିିଯୋଗ କରୁଥିବା ବେଳେ ଏବେ ପ୍ରଶାସନର ବିଭାଗୀୟ ଅଧିକାରୀଙ୍କୁ ଟାର୍ଗେଟ କରିଛି ଦଳ। ବିଶେଷ କରି ଶାସକଦଳ ବିଜେଡିକୁ ସାହାଯ୍ୟ କରିବାକୁ ଯାଇ ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ କରି ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବା ବିଜେପି ପ୍ରତିନିଧି ଦଳ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଫେରାଦ ହୋଇଛି। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରିଟର୍ଣ୍ଣିଂ ଅଫିସର ବାଲେଶ୍ୱର ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସମସ୍ତ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାଯାଇଥିବା ବେଳେ ସଦର ନିର୍ବାଚନମଣ୍ଡଳୀର ପୌରାଞ୍ଚଳସ୍ଥିତ କ୍ୟାଥୋଲିକ ପଡ଼ାରେ ନୂତନ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମାର ସ୍ଥାପନ ଓ ପାନୀୟ ଜଳ ସଂଯୋଗ କରାଯିବାକୁ ନେଇ ବିଜେପି ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଦଳ ଦେଉଥିବା ପ୍ରତିଶ୍ରୁତିକୁ ପୂରଣ ପାଇଁ ପ୍ରଶାସନ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଏନେଇ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦାବି ହୋଇଛିି। ଏନେଇ ବିଜେପି କର୍ମକର୍ତ୍ତାମାନେ ଏକ ଦାବିପତ୍ର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଶ୍ରୀମତୀ ପାଢ଼ୀ ଓ ଶ୍ରୀ ପଣ୍ଡାଙ୍କ ସମେତ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ସୁଷମା ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ହରପ୍ରିୟା ସାହୁ, ଯୁବନେତା ପ୍ରଦୀପ୍ତ କୁମାର ଜେନା, ଅନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।