Odiapua.com

ଆତ୍ମହତ୍ୟା କଲେ ଦଳିତ ମହିଳା; ଋଣ ବୋଝ ସମସ୍ୟା!

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିରୋଳି ହରିଜନସାହିର ଦଳିତ ମହିଳା ଫୁସିଆ ଯେନା(୫୫) ଗତକାଲି ରାତିରେ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏକ ଘରୋଇ ଗୋଷ୍ଠୀ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ଗତକାଲି ସାପ୍ତାହିକ କିସ୍ତି ପୈଠ ପାଇଁ ଜୁଲମ ଯୋଗୁ ଚାପଗ୍ରସ୍ତ ହୋଇ ଥିବା ଫୁସିଆ ରାତ୍ରରେ ଆତ୍ମହତ୍ୟା କରିଥିଲେ ବୋଲି ସ୍ୱାମୀ ମୁଷେଇ ପ୍ରକାଶ କରିଛନ୍ତି । ଗତକାଲି ରାତ୍ର ପ୍ରାୟ ୩ଟା ସମୟରେ ପରିବାର ଲୋକେ ଫୁସିଆକୁ ଶୋଇବା ଘର ଚାଳରେ ରଶୀ ଲଗାଇ ଝୁଲୁଥିବା ଦେଖିଥିଲେ । ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଶବ ଜବତ କରିବା ସହ ମୁଷେଇଙ୍କ ଅଭିଯୋଗ କ୍ରମେ ୨୪/୧୨ନଂ ଅପମୃତ୍ୟୁ ମାମଲା ଋଜୁ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି । ସଂପୃକ୍ତ ପରିବାରର ଝିଅ ସ୍ୱାମୀ ପରିତ୍ୟକ୍ତା ହୋଇ ଶିଶୁପୁତ୍ର ସହ ବାପଘରେ ରହୁଥିବା ବେଳେ ବଡପୁଅ ମାନସିକ ଅନଗ୍ରସର । ସାନପୁଅ ତାମିଲନାଡୁରେ ଘରୋଇ ସଂସ୍ଥାରେ ନିୟୋଜିତ ଥିବା ଜଣାଯାଇଛି । ପରିବାର ବୋଝ ଚାପରେ ଉଚ୍ଚ ସୁଧା ହାରରେ ଋଣ ଆଣି ପୈଠ କରିବା ସମ୍ଭବ ହେଉ ନଥିବାରୁ ଫୁସିଆ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପରିବାର ପକ୍ଷରୁ ମତ ଦିଆଯାଇଛି ।