Odiapua.com

ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ୟୁଏସଆଇଏସପିଏଫ୍ ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

– ଆତ୍ମନିର୍ଭର ଭାରତ ଅଭିଯାନ କୋଭିଡ୍‌-୧୯ର ଆହ୍ୱାନକୁ ସୁଯୋଗରେ ପରିଣତ କରିବ
– ଏକବିଂଶ ଶତାବ୍ଦୀରେ ଭାରତକୁ ଉତ୍ପାଦନ କ୍ଷେତ୍ରରେ ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ
– ଦେଶର ବିକାଶ କ୍ଷେତ୍ରରେ ଉର୍ଜା ଭିତ୍ତିଭୂମିର ଭୂମିକା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍େଟମ୍ବର ୦୩ (ଓଡ଼ିଆ ପୁଅ) – ଆମେରିକା – ଭାରତ ସାମରିକ ଭାଗିଦାରୀ ଫୋରମ (ୟୁଏସଆଇଏସପିଏଫ୍‌)ର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀ ଗୁଡ଼ିକୁ ନିମନ୍ତ୍ରଣ କରିଛନ୍ତି।

‘ନୂଆ ଆହ୍ୱାନକୁ ସାମ୍ନା କରିବା’ ଥିମ ଉପରେ ଆୟୋଜିତ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ କୋଭିଡ୍‌୧୯ର ଆହ୍ୱାନକୁ ସୁଯୋଗରେ ପରିଣତ କରିବ। ଘରୋଇ ଉତ୍ପାଦନ ଓ ବ୍ୟବହାରକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ସହ ଯୋଡ଼ିବା ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ଉତ୍ପାଦନ କ୍ଷେତ୍ରରେ ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ ରଖାଯାଇଛି।

ଦେଶର ବିକାଶ କ୍ଷେତ୍ରରେ ଉର୍ଜା ଭିତ୍ତିଭୂମିର ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ପ୍ରଧାନ ଆମେରିକୀୟ ଶିଳ୍ପପତି ମାନଙ୍କୁ ଭାରତରେ ଉର୍ଜା କ୍ଷେତ୍ରରେ ସୁଯୋଗର ଲାଭ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି। କୋଭିଡ-୧୯ର ବୈଶ୍ୱିକ ଅର୍ଥନୀତି ଓ ଉର୍ଜା ଚାହିଦା ଉପରେ ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଭାରତର ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ଏବଂ ଖୁବ ଶୀଘ୍ର ଉର୍ଜାର ବ୍ୟବହାର କୋଭିଡର ପୂର୍ବ ସ୍ଥିତିରେ ପହଞ୍ଚିବ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏବଂ ଆମେରିକା ପରସ୍ପର ସହଯୋଗୀ ଭାବେ କାମ କରୁଛନ୍ତି। ବିଶ୍ୱ ଉର୍ଜା ବଜାରିକରଣ ଏବଂ ଏ ସମ୍ପନ୍ଧୀୟ କାର୍ଯ୍ୟରେ ଆମେରିକା ଭାରତ କାମ କରୁଛନ୍ତି। ଅପରପକ୍ଷରେ ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ ଦେଶରେ ଗ୍ୟାସ କ୍ଷେତ୍ରକୁ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।