Odiapua.com

ଆତଙ୍କିତ ଜନନେତା

୨୦୨୪ ମସିହାରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ୨୦୨୩ ହେଉଛି ନିର୍ବାଚନ ବର୍ଷ। ରାଜନୈତିକ କାର୍ଯ୍ୟକ୍ରମ ଏ ବର୍ଷ ଅଧିକ। ତେଣୁ ରାଜନେତାମାନେ ଏ ବର୍ଷ ଅଧିକ ରାଲି, ଶୋଭାଯାତ୍ରା କରିବେ। ଲୋକଙ୍କ ପାଖକୁ ଅଧିକ ଯିବାକୁ ପଡିବ। ମାତ୍ର ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡ ପରେ ଏବେ ସବୁ ରାଜନେତାଙ୍କ ମନରେ ଛନକା ପଶିଛି। ବିଭିନ୍ନ ସମୟରେ ରାଜନେତାମାନେ ଆକ୍ରୋଶର ଶିକାର ହୁଅନ୍ତି। ମାତ୍ର ଆକ୍ରୋଶ ଗୁଳିକାଣ୍ଡରେ ପରିଣତ ହେବା ଓଡ଼ିଶାରେ ପ୍ରଥମ। ତେଣୁ ଛନକା ପଶିବା ସ୍ୱାଭାବିକ। ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଦୀର୍ଘ ୨୩ ବର୍ଷ ଧରି ଶାସନ କରୁଛି। ଅଧିକାଂଶ ବିଧାୟକ ଓ ସାଂସଦ ଦୀର୍ଘ ବର୍ଷ ଧରି ନିର୍ବାଚନ ଜିତିକରି ଆସୁଛନ୍ତି। ଆଗରୁ ଜନନେତାମାନେ ଲୋକମାନଙ୍କ ପାଇଁ କାମ କରିବାର ସୁଯୋଗ ପାଉଥିଲେ। ଏବେ ସେ ପରମ୍ପରା ଆଉ ନାହିଁ। ସାରା ଓଡ଼ିଶାରେ ବର୍ତ୍ତମାନ ଅଫିସରରାଜ ଚାଲିଛି। ନିର୍ବାଚିତ ଜନପ୍ରତିନିଧିଙ୍କ କଥା କେହି ଶୁଣୁ ନାହାଁନ୍ତି। ସାଧାରଣ ଜନତା ଭୋଟ ଦେଉଛନ୍ତି ତାଙ୍କ ନେତାମାନଙ୍କୁ। ସେମାନେ ଯଦି ତାଙ୍କ କାମ କରିବେ ନାହିଁ ତେବେ ରାଗ ରହିବା ସ୍ୱାଭାବିକ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କଲେ। ଘଟଣା ଏବେ ବି ଅସ୍ପଷ୍ଟ। ତଦନ୍ତ ଚାଲିଛି। ଓଡ଼ିଶାର ରାଜନୀତିରେ ଏହା ପ୍ରଥମ ଘଟଣା। ମନ୍ତ୍ରୀ ଆକ୍ରୋଶର ଶିକାର ହେଲେ ନା ରାଜନୀତିର ପଶାପଲିରେ ବଳି ପଡିଲେ ତାହା କହିବା ମୁସ୍କିଲ। କିନ୍ତୁ ନବ ଦାସ ହତ୍ୟା ପରେ ରକ୍ଷକ ମଧ୍ୟ୍ୟ ଭକ୍ଷକ ସାଜିପାରେ ଏହା ପ୍ରମାଣିତ ହେଲା। ବିରୋଧୀ ଦଳ ନେତା ସରକାର ଦେଇଥିବା ଅଙ୍ଗରକ୍ଷୀଙ୍କୁ ପ୍ରତ୍ୟାହାର କରିସାରିଲେଣି। ଆହୁରି ଅନେକ ନେତା ସେମାନଙ୍କ ପି ଏସ ଓ ମାନଙ୍କୁ ଆଉ ସାଙ୍ଗରେ ନେବା ଉଚିତ ମନେ କରୁନାହାନ୍ତି। କିନ୍ତୁ ଜନତାଙ୍କ ପାଖକୁ ତ ଯିବାକୁ ପଡିବ। ସଭା ସମିତିକୁ ତ ଯିବାକୁ ପଡିବ। ଲୋକ ଗହଳି ଭିତରୁ ଗୁଳି ଫୁଟିଲେ କଥା ସରିଲା। ତେଣୁ ଅଧିକାଂଶ ନେତା ଏବେ ଘରେ ରହି କାମ କରୁଛନ୍ତି। ଏରିଆକୁ ଯାଉ ନାହାଁନ୍ତି। କିଛି ନେତା ନିଜ ବାସଭବନରେ ମଧ୍ୟ ଅଜଣା ଲୋକଙ୍କୁ ଭେଟିବାକୁ ଡରୁଛନ୍ତି। ନବ ଦାସ ହତ୍ୟାକାଣ୍ଡର ଗୋଟିଏ ନିର୍ଣ୍ଣାୟକ ଫଳାଫଳ ବାହାରିବା ଆଶା ବହୁତ କ୍ଷୀଣ। ଏପରି ସ୍ଥଳେ ରାଜନେତାଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଏକ ପ୍ରକାର ଅନ୍ଧକାର। ୨୦୨୪ ନିର୍ବାଚନ ସମୟରେ ରାଜନୈତିକ ହିଂସାକାଣ୍ଡର ମାତ୍ରା ଆହୁରି ବଢିବ ଏଥିରେ ସନ୍ଦେହ ନାହିଁ।

ପ୍ରିୟ ରଞ୍ଜନ ସାହୁ