ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧୁନିକତାର ପ୍ରଭାବ ଓ ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଧୀରେ ଧୀରେ ଲୋକଜୀବନରୁ ଦୂରେଇ ଯାଉଥିବା ଓଡ଼ିଆଙ୍କ ଗଣପର୍ବ ‘ରଜ’ର ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ମେଳଣ ପଡ଼ିଆ ପରିସରରେ ଆଞ୍ଚଳିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଅମିତ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜ ପର୍ବ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ହୃଦାନନ୍ଦ କର, ମନୋଜ ଜେନା, ଅଧ୍ୟାପକ ଶ୍ରୀଧର ସାହୁ ଓ ସାମ୍ବାଦିକ ସନ୍ତୋଷ ଦାସ ଯୋଗଦେଇ ରଜ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ମତ ରଖିଥିଲେ।ଉତ୍ସବ ଅବସରରେ କବିମାନଙ୍କ ଦ୍ୱାରା କବିତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକସଂସ୍କୃତି, ପରମ୍ପରା ଓ ରଜ ପର୍ବର ମହିମାକୁ ନେଇ ପାଠ କରାଯାଇଥିବା କବିତା ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।ଆଜିର ଦିନରେ ରଜ ଦୋଳି, ପୁଚି ଖେଳ, ରଜପାନ ଓ ଗ୍ରାମୀଣ ମିଳନ ପରମ୍ପରା ଧୀରେ ଧୀରେ ହଜିଯାଉଥିବା ବେଳେ ଏଭଳି ମହୋତ୍ସବ ନୂତନ ପିଢ଼ୀଙ୍କୁ ନିଜ ମାଟିର ସଂସ୍କୃତି ସହ ଯୋଡ଼ିବାରେ ସହାୟକ ହେବ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିଲେ। ରଜ ପର୍ବର ପାରମ୍ପରିକ ଉତ୍ସାହ ଓ ଆନନ୍ଦ ମଧ୍ୟରେ ମହୋତ୍ସବ ଅନୁଷ୍ଟିତ ହୋଇଥିଲା।