Odiapua.com

ଆଜି ୮୨ ତମ ସହିଦ୍ ସ୍ମୃତି ଦିବସ, ସ୍ମୃତିର ସ୍ୱାକ୍ଷର ବହନ କରୁଛି ସହିଦ ପୀଠ ସହିଦନଗର

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ମାତୃକାର ମୁକ୍ତି ପାଇଁ ଅନେକ ସଂଘର୍ଷ ଓ ସଂଘାତ ଦେଖିବାକୁ ମିଳିଥିଲା ବେଳେ ଏଥିମଧ୍ୟରୁ ଭଦ୍ରକ ଜିଲ୍ଲା ର ଲୁଣିଆ ଠାରେ ଆଜକୁ ୮୧ ବର୍ଷ ତଳେ ଘଟିଥିବା ଗୁଳି କାଣ୍ଡ ର ସ୍ମୃତି ଏବେବି ତାଜା ହୋଇ ରହିଛି । ସ୍ୱାଧୀନତା ସଂଗ୍ରାମରେ ସଂଗଠିତ ଲୋମ ଟାଙ୍କୁରା ଲୁଣିଆ ଗୁଳିକାଣ୍ଡର ପୃଷ୍ଠଭୂମି ଆଜି ବି ଉଜ୍ଜୀବିତ ହୋଇ ରହିଛି।୧୯୪୨ ମସିହାରେ ରେ ଭାରତ ଛାଡ଼ ଆନ୍ଦୋଳନର ସ୍ୱର କ୍ରମଶଃ ବୃଦ୍ଧି ପାଉ ଥାଏ। ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଭଦ୍ରକ ଅଂଚଳରେ ବ୍ରିଟିଶ ବିରୋଧୀ ଅସନ୍ତୋଷ କୁହୁଳୁଥିବା ବେଳେ ଧୂଷୁରୀ ଅଂଚଳ ସ୍ୱାଧୀନ ଘୋଷଣା ହୋଇ ସାରିଥିଲା। ସ୍ୱାଧୀନ ହେବା ସ୍ୱପ୍ନରେ ବିଭୋର ଜନତା ସବୁଠି ଏକଜୁଟ ହେଉଥାନ୍ତି। ତତ୍କାଳୀନ ଧାମନଗର ଥାନା ଅଧୀନ କଟସାହି, ଖପରପଦା, ଲୁଣିଆ, ଶ୍ରୀଗଙ୍ଗା ପାଟଣା ଆଦି ଅଂଚଳରେ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ବୈଠକ ହୋଇ ଆନ୍ଦୋଳନକୁ ତୀବ୍ର କରଯାଇଥିଲା । କୌଣସି ସୂତ୍ରରୁ ଏ ଖବର ପୁଲିସ ପାଇ ସାରିଥାଏ। ଇଂରେଜ ବିରୋଧୀ ଆନ୍ଦୋଳନ ର ନେତା ମୁରଲୀ ଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିବା ଧାମନଗର ଥାନାର ତତ୍କାଳୀନ ଅଧିକାରୀ ବଳରାମ ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ ଆସୁଥିବା ଖବର ପ୍ରଚାର ହୋଇ ଯାଇଥିଲା। ସର୍ଦ୍ଦାର ଙ୍କ ଗିରଫଦାରୀ ବିରୋଧରେ ଅଳ୍ପ ସମୟ ମଧ୍ୟରେ ହଜାର ହଜାର ମୁକ୍ତିକାମୀ ଜନତା ଲୁଣିଆ ରାଜସ୍ୱ ଗ୍ରାମର ଚାନ୍ଦିଆପଶି (ସହିଦନଗର) ପଡିଆରେ ଏକ ହେଲେ। ସେଦିନ ଥିଲା ୧୯୪୨ ମସିହା ସେପ୍େଟମ୍ବର ମାସ ୨୨ ତାରିଖ ମଙ୍ଗଳବାର । ଇନିସପେକ୍ଟର ବଳରାମ ବେହେରାଙ୍କ ସମେତ ପୁଲିସ ସଦଳବଳ ସହିଦନଗରରେ ପହଂଚି ସାରିଥିଲେ । ସର୍ଦ୍ଦାର ମୁରଲୀ ଙ୍କ ଗିରଫଦାରୀ ବିରୋଧରେ ପ୍ରତିବାଦ ପାଇଁ ଏକଜୁଟ ବିପୁଳ ଜନତା ବ୍ରିଟିଶ ବିରୋଧୀ ସ୍ଲୋଗାନ ସହ ପୁଲିସ ଠାରୁ ସେମାନଙ୍କ ବନ୍ଧୁକ ଛଡାଇ ନେଇଥିଲେ ଚତୁର ପୁଲିସ ନେହୁରା ହୋଇ ବନ୍ଧୁକ ଫେରିପାଇବା ପରେ କେଇ ହାତ ଆଗକୁ ଯାଇ ହଠାତ ଆକ୍ରମଣ କରିଥିଲେ । ପୁଲିସ ଗୁଳିରେ ଚାହୁଁ ଚାହୁଁ ସେହିଠାରେ ଟଳି ପଡ଼ିଥିଲେ ୯ ଜଣ ସଂଗ୍ରାମୀ। କ୍ଷତାକ୍ତ ହୋଇଥିଲେ ଅନେକ ସର୍ଦ୍ଦାର ମୁରଲୀ ପଣ୍ଡାଙ୍କୁ ଗିରଫ କରାଗଲା। ରାଜୁଆଳିର ନିଧି ମହାଳିକ (୫୫), କୃଷ୍ଣ ମହାଳିକ (୨୮), ଶ୍ୟାମ ମହାଳିକ (୩୫). ଲୁଣିଆର ଅଗଣି ସାହୁ (୫୨). କଟସାହିର ଗୋପୀନାଥ ଯେନା (୨୫), କାଶିପୁରର ନବ କିଶୋର ନାୟକ (୩୨), ଶୁଶୁଆର ଗୌରୀ ଯେନା (୫୦), ପଥରଡ଼ିହର ଚିନ୍ତାମଣି ଦାସ (୫୫) ଏବଂ ଖପରପଦାର ଶଙ୍କର ବେହେରା (୫୦)ଙ୍କ ରକ୍ତରେ ଲେଖା ହେଲା ସ୍ୱାଧୀନତା ଆନ୍ଦୋଳନ ।ଇତିମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଛି ୯ ଜଣ ବୀରଙ୍କ ଆତ୍ମବଳିଦାନର ମୁକସାକ୍ଷୀ ହୋଇ ରହିଛି ସେଦିନର ଲୁଣିଆ ଚାନ୍ଦିଆପଶି । ଏବେର ସହିଦନଗର ଭାରତୀୟ ମୁକ୍ତି ସଂଗ୍ରାମରେ ରକ୍ତର ସ୍ୱାକ୍ଷର ଛାଡିଥିବା ଲୁଣିଆ(ସହିଦ ନଗର)କୁ ରାଜ୍ୟ ସରକାର ୬ ବର୍ଷ ହେଲା ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଛନ୍ତି।ହେଲେ ଏ ଠାରେ କୌଣସି ଉନ୍ନତୀ ମୂଳକ କାର୍ଯ୍ୟ ହୋଇନାହିଁ । ଆଜି ର ଦିନ ଟି ସ୍ଥାନୀୟ ଅଂଚଳରେ ଏକ ଗଣପର୍ବ ହୋଇଯାଇଛି।