Odiapua.com

ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ କାର୍ଯ୍ୟକ୍ରମ

ସମ୍ବଲପୁର, ୨୦-୪ (ଓଡ଼ିଆ ପୁଅ)-ଆସନ୍ତା ୨୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଅପରାହ୍ନ ୩ଟା ୨୦ରେ ଏମ୍ ସିଏଲ୍ ହେଲିପେଡରେ ପହଞ୍ଚିବେ। ଗେଷ୍ଟ ହାଉସ୍ ରେ ୧ଘଣ୍ଟା ରହଣି ପରେ ଅପରାହ୍ନ ୪ଟା ୩୦ରେ ଜାଗୃତି ବିହାର ଏନ୍ ଏଚ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛକ, ଜଗନ୍ନାଥ ମନ୍ଦିର ଛକ, ଗୋପବନ୍ଧୁ ଛକ, ପେଟ୍ରୋଲ ପମ୍ପ ଛକ, ପାଣି ଟାଙ୍କି ଦେଇ ପିଜି ଛକ, ପୋଲିସ ଫାଣ୍ଡି ଛକ, କିରବା ଛକ, ଆନନ୍ଦ ବିହାର ଦେଇ ପିସି ବ୍ରିଜ୍ ରେ ପହଞ୍ଚିବେ। ପିସିବ୍ରିଜ୍ ରୁ ରେମେଡ ଦେଇ ହୀରାକୁଦ ଯିବେ। ସେଠାରୁ ହୀରାକୁଦ ଥାନା ଛକ, କଲ୍ୟାଣ ମଣ୍ଡପ, ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟ, ଆଇଟିଆଇ ଛକ, ଥାନା ଦେଇ ପୁଣି ରେମେଡ ଫେରିବେ। ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ସହରର କ୍ଷେତରାଜପୁର, ଅଗ୍ରସେନ ଛକ, ରେଳ ଷ୍ଟେସନ, ବିଗବଜାର, ମୁଦିପଡା ଛକ, ପାଣିଟାଙ୍କି ଛକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଏମ୍ ୟୁ ଛକ, ବୁଢାରଜା, ଅଇଁଠାପାଲି ଛକ, ସେଠାରୁ ସିଟି ଷ୍ଟେସନ ଛକ ଦେଇ ସିନ୍ଦୁରପଙ୍କ ଚୌଧୁରୀ ଛକ, ଧନୁପାଲି ଛକ, ଗୋବିନ୍ଦତୋଲା ଛକ, ଚାରଭାଟି, ଜେଲ ଛକ ଦେଇ ଭୂତାପଡା ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ପୁଣି ଜେଲ ଛକକୁ ଫେରି କଚେରି ଛକ ଦେଇ ରିଂ ରୋଡରେ ବାଲିବନ୍ଧା ପର୍ଯ୍ୟନ୍ତ ଯିବେ। ସେଠାରୁ କମଲିବଜାର ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବେ। ମାଁ ସମଲେଶ୍ୱରୀଙ୍କ ଦର୍ଶନ ପରେ ପୁଣି ରିଂ ରୋଡରେ ବାହାରି ଏମ୍ ସିଏଲ୍ ଗେଷ୍ଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ରାତ୍ରୀ ରହଣି ପରେ ହେଲିକେପ୍ଟର ଯୋଗେ ୨୧ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ କୁଚିଣ୍ଡାର ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ ସୋରେ ସ୍ୱତନ୍ତ୍ର ପ୍ରଚାର ବସ୍ ସାମିଲ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଏହି ହାଇଟେକ୍ ପ୍ରଚାର ଓ ବସ୍ କୁ ଦେଖିବାକୁ ଜନମାନସରେ ଉତ୍ସାହ ପରିଲକ୍ଷୀତ ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ସଂକଳ୍ପ ସଭା ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହାର କିଛି ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ କାର୍ଯ୍ୟକ୍ରମ ଯୋଗୁଁ ବିଜେଡି କର୍ମୀ ମାନେ ଉତ୍ସାହିତ ହେଉଛନ୍ତି। ତେବେ ଏହି ହାଇଟେକ୍ ପ୍ରଚାରରେ କଂଗ୍ରେସ ଦଳ ପଛରେ ରହିଛି। ସୂଚନା ଯୋଗ୍ୟ, ଆସନ୍ତା ୨୩ତାରିଖରେ ସମ୍ବଲପୁର ଲୋକସଭା ତତ୍ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୧ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ଅଭିଯାନ ଶେଷ ହେବ।