Odiapua.com

ଆଜି ରାତି ୧୦ଟାରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍ – ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) : ପଶ୍ଚିମବଙ୍ଗ କନେକ୍ସନ ଓଡ଼ିଶାର ଚିନ୍ତା ବଢ଼େଇ ଦେଇଛି। ଏ ନେଇ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଉଛନ୍ତି। ତେବେ ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଆଜି ରାତିରୁ ୬୦ ଘଣ୍ଟିଆ ସଟଡାଉନକୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ଏହି ସଟଡାଉନକୁ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି। ଏହି ସଟଡାଉନ୍ ସମୟରେ ଲୋକମାନେ ଘରେ ରହିବେ ବାହାରକୁ ବାହାରିବାକୁ ମନା କରାଯାଇଛି। ତେବେ ଏହି ତିନିଟି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣର ବୃଦ୍ଧିକୁ ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ଅର୍ଥାତ୍ ପରବର୍ତ୍ତୀ ୬୦ ଘଣ୍ଟାଯାଏଁ ଅତ୍ୟାବଶ୍ୟକୀୟ ସେବା ‌ସହ ଜଡ଼ିତ ଗାଡ଼ି ବ୍ୟତୀତ କୌଣସି ଗାଡ଼ି ଚାଲିବ ନାହିଁ। ଲୋକମାନେ ସାଇକେଲ୍ କିମ୍ବା ଚାଲିଚାଲି ମଧ୍ୟ ଯାଇପାରିବେ ନାହିଁ। ୫ ଦିନ ଭିତରେ କ୍ରମାଗତ ଭାବରେ ଏହି ତିନୋଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ସଟଡାଉନ୍ ଭୁବନେଶ୍ୱରରେ ହୋଇଥିବା ସଟଡାଉନ୍ ଭଳି ହେବ। ଏମରଜେନ୍ସି ମେଡିସିନ୍ ଦୋକାନ ଖୋଲା ରହିବ। ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଏହି ସମୟ ମଧ୍ୟରେ ଯେଉଁମାନେ ଚିହ୍ନଟ ହୋଇନାହାଁନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। କର୍ଫ୍ୟୁ ଭଳି ପରିସ୍ଥିତି ରହିବ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୨ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବା ସହ ଅନ୍ୟ ୧୧ଟି ଆକ୍ଟିଭ୍ କେସ୍ ରହିଛି। ସେହିଭଳି ଭଦ୍ରକ ଜିଲ୍ଲାରେ ୧୧ ପଜିଟିଭ୍ ମାମଲା ଆସିଥିବା ସହ ଆକ୍ଟିଭ୍ କେସ୍ ୯ ରହିଛି। ୨ ଜଣ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ୧୦ ମାମଲା ପଜିଟିଭ୍ ଆସିବା ସହ ୧୦ ଆକ୍ଟିଭ୍ କେସ୍ ରହିଛି।