ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ ପୂର୍ବକ ଏ ଦିଗରେ ପାନୀୟ ଜଳକୁ ପ୍ରମୁଖ ଭୂମିକା ଦେଇଛନ୍ତି । ତେବେ ଆମ ରାଜ୍ୟରେ ବିଜେଡି ସରକାର ଦୀର୍ଘ ୨୩ ବର୍ଷ ଧରି ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କରିଆସୁଥିଲେ ମଧ୍ୟ ଭଦ୍ରକ ଜିଲାର ଧାମନଗର ନିର୍ବାଚନୀ ମଣ୍ଡଳୀ ଭଳି ଏକ ସମ୍ବେଦନଶୀଳ ଅଂଚଳରେ ପାନୀୟ ଜଳର ସମସ୍ୟା ଦୂର ନକରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ଆଜି ବି ଟୋପାଏ ପିଇବା ପାଣି ପାଇଁ ସାଧାରଣ ଲୋକେ ଡହଳ ବିକଳ ହୋଇ ଚୁଆର ଗୋଳିଆ ପାଣି ଉପରେ ନିର୍ଭର କରିବା ଘଟଣା ବୁଦ୍ଧିଜୀବୀ ମହଲରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଏଭଳି ଏକ ଦୁଃଖଦ ଘଟଣାର ଖବର ପାଇ ତଥା ଧାମନଗର ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ସମସ୍ୟାକୁ ନେଇ ଆଜି ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନେଇ ସାହାସପୁର ପଞ୍ଚାୟତର ଲୁହସାହି, ଜଗନ୍ନାଥସାହି, ସାହାସପୁର ଓ ପାଳସାହି ପଂଚାୟତର ବଳସାହି ଗ୍ରାମକୁ ଯାଇ ପାନୀୟ ଜଳ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏବଂ ବିଭାଗୀୟ ଅଧିକାରୀଙ୍କୁ ପ୍ରତ୍ୟକ୍ଷ ଅବଗତ କରାଇ ଆଜି ବି ଏହି ଅଂଚଳର ଲୋକମାନେ କିଭଳି ଚୁଆରୁ ଗୋଳିଆ ପାଣି ସଂଗ୍ରହ କରିବା ପାଇଁ କଂସା ତାଟିଆ ଧରି ଲମ୍ବା ଧାଡିରେ ଠିଆ ହେବା ଘଟଣା, ତାହା ପରିଦର୍ଶନ କରିଥିଲେ । ଏଥିସହ ତୁରନ୍ତ ଏହାର ସମାଧାନ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।