Odiapua.com

ଆଜି ବି ଅନ୍ଧାରରେ ଓ ଦୂଷିତ ନାଳ ପାଣି ପିଇ ବଞ୍ଚିଛନ୍ତି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୧୧ଟି ପରିବାର

କୁଳିଅଣା ୩୧-୧୦ (ଓଡ଼ିଆ ପୁଅ) ଆଦିବାସୀ ଅଧ୍ୟୁସିତ ମୟୁରଭଞ୍ଜ ଜିଲ୍ଲା ଆଜି ବି ଅବହେଳିତ। ମିଳି ପାରୁନାହିଁ ସରକାରଙ୍କ ଜନହିତକର ଯୋଜନାର ସୁଫଳ। ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀ ପାରୁଳିଆ ପଂଚାୟତ ଅନ୍ତର୍ଗତ ୧୧ନମ୍ବର ୱାର୍ଡ ବଡହଳଦିଆକନ୍ଦ ଗ୍ରାମ କଥା। ସେଠାରେ ବସବାସ କରୁଥିବା ୧୧ଟି ପରିବାର ପୂର୍ବରୁ ପାରୁଳିଆ ଠାରେ ରହୁଥିଲେ ମାତ୍ର ୨୦୧୫-୧୬ରେ ତହସିଲ ଦ୍ବାରା ୪ ଡେସିମିଲର ଜମିପଟ୍ଟା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିଲା। ମାତ୍ର ଆଜି ବି ସେମାନଙ୍କୁ ପାନୀୟ ଜଳ ତଥା ବିଦ୍ୟୁତ ସଂଯୋଗ ଯୋଗାଇ ପାରିନାହାନ୍ତି ସରକାର। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ନିକଟରେ କୌଣସି ସରକାରୀ ନଳକୂପ କିମ୍ବା କୂପ ନଥିବାରୁ ଜଳ ପାଇଁ ସେମାନେ ଦୂରରେ ଥିବା ନାଳରୁ ଜଳ ଆଣିଥାନ୍ତି। ଯେଉଁ ଜଳରେ ଲୋକ ସ୍ନାନ କରୁଛନ୍ତି ସେହି ଜଳକୁ ସେମାନେ ପିଇବା ପାଇଁ ବ୍ୟବହାର କରୁଛନ୍ତି। ଯାହା ଫଳରେ ଅନେକ ସମୟରେ ବିଭିନ୍ନ ରୋଗ ମାଡିଆସୁଥିବା ଦେଖାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

୨୦୧୯ ଜାନୁଆରୀରେ ବିଦ୍ୟୁତ ତାର ଏବଂ ମିଟର ସଂଯୋଗ କରିଥିଲା ବେଳେ ଆଜି ପର୍ଯ୍ୟନ୍ତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। କିଛି ଦିନ ପୂର୍ବରୁ ବିଦ୍ୟୁତ ବିଭାଗ ତରଫରୁ ବିଲ ଦେବା ପାଇଁ କିଏ ଜଣେ ଆସିଥିଲେ ଏବଂ ଗ୍ରାମବାସୀ ତାଙ୍କୁ କେଉଁ କାରଣରୁ ବିଲ ଦେବୁ ବୋଲି ପଚାରିବାରୁ ସେ ପଳାଇଯାଇଥିଲେ ବୋଲି କୁହନ୍ତି ଗ୍ରାମବାସୀ। ଏବାବଦରେ ଚାନ୍ଦୁଆ/କୁଳିଅଣା ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ଯେ ୭/୮ ମଧ୍ୟରେ ସେଠାରେ ଏକ ସରକାରୀ କୂପ ତିଆରି କରାଯାଇ ସେମାନଙ୍କୁ ପିଇବା ପାଣି ଯୋଗାଇଦିଆଯିବ। ଦେଖିବାକୁ ବାକି ରହିଲା ସରକାର କେବେ ଆଲୋକିତ ହେବା ସହିତ ପିଇବା ପାଣି ପାଇବେ ବଡହଳଦିଆକନ୍ଦ ଗ୍ରାମବାସୀ।