Odiapua.com

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ଚାଲିଛି ରୀତିନୀତି, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ

ପୁରୀ ୧-୭ (ଓଡ଼ିଆ ପୁଅ) ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଚାଲିଛି ରୀତିନୀତି। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ। ରଥ ପ୍ରତିଷ୍ଠା ସମାପନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଯାଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଚାତକ ପରି ଚାହିଁଛନ୍ତି ୩ ରଥ। ଚମକୁଛି ବଡ଼ଦାଣ୍ଡ। କାଳିଆ ସାଆନ୍ତଙ୍କୁ ଅପେକ୍ଷା କରିଛି ନନ୍ଦିଘୋଷ। ଭକତଙ୍କ ମନ ତୋଷିବାକୁ ଆସୁଛନ୍ତି ପ୍ରଭୂ ବଡ଼ଦାଣ୍ଡକୁ। ଦରଶନ ଦେବା ପାଇଁ ସ୍ୱୟଂ ପ୍ରଭୂ ଆସୁଛନ୍ତି। ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରି ଉଠୁଛି ବଡଦାଣ୍ଡ। ବଡ ଦେଉଳର ନିର୍ମାଣ ଠାରୁ ଆରମ୍ଭ କରି ବଡ଼ ରଥ ନିର୍ମାଣ ଏବଂ ଭକ୍ତବତ୍ସଳ ମହାପ୍ରଭୁ ବଡଦାଣ୍ଡକୁ ଓଲ୍ହାଇ ଆସୁଛନ୍ତି ତାଙ୍କ ଲୀଳା ଖେଳା ଦେଖାଇବା ପାଇଁ। ସାରା ସଂସାରକୁ ନିଜର ଦର୍ଶନ ଦେବେ ଆଜି। ୨ ବର୍ଷ ହେଲା କରୋନା ମହାମାରୀ ପ୍ରକୋପରୁ ପ୍ରଭୁଙ୍କୁ ନଦେଖି ଥିବାରୁ ପ୍ରଭୁଙ୍କୁ ରଥାରୁଢ ଦେଖି ଭକ୍ତ ବିଭୋର ହେବେ। ପ୍ରଥମେ ଧାଡ଼ି ପହଣ୍ଡି କରି ଆସୁଛନ୍ତି ମହାପ୍ରଭୁ ସୁଦର୍ଶନ। ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ଟାହିଆ ହଲାଇ ଶ୍ରୀମନ୍ଦିରରୁ ବାହାରି ଆସୁଛନ୍ତି ବଡ଼ ଭାଇ ବଳଭଦ୍ର। ବଡ଼ଭାଇଙ୍କୁ ଆଗୁଆ ଛାଡ଼ି ନିଜେ ପ୍ରସ୍ତୁତ ହେଉଛି କାଳିଆ ସୁନା। ସବୁଠୁ ପଛରେ ଆସିବ କାଳିଆ। ମଝିରେ ଆସିବେ ହଳଦୀ ମୁହିଁ।

ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପାବନ ଅବସରରେ ଓଡ଼ିଆ ପୁଅ ପରିବାର ତରଫରୁ ଆପଣ ଏବଂ ପରିବାରର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣ ସମସ୍ତଙ୍କୁ କୁଶଳରେ ରଖନ୍ତୁ।

ଜୟ ଜଗନ୍ନାଥ