Odiapua.com

ଆଜି ବାହାରିଲା ନୀଳାଦ୍ରୀ ଅବଢ଼ା

ପୁରୀ, ୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁ ଶ୍ରୀ ଜଗନ୍ନାଥ ଘୋଷଯାତ୍ରାରେ ଶ୍ରୀ ମନ୍ଦିରରୁ ବାହାରି ୧୨ ଦିନ ଧରି ଲୀଳା ଖେଳା କରି ଗତକାଲି ଶ୍ରୀ ମନ୍ଦିରର ରତ୍ନ ବେଦୀକୁ ବିଜେ କରିଛନ୍ତି। ୨୩ ତାରିଖ ଠାରୁ ଶ୍ରୀ ମନ୍ଦିରରେ ଅନ୍ନ ଭୋଗ ବନ୍ଦଥିଲା। ଗତକାଲି ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନକୁ ବିଜେ କରିବା ପରେ ଆଜି ଠାରୁ ପୁନରାୟ ଶ୍ରୀ ମନ୍ଦିରରେ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଛି। ଆଜି ମଧ୍ୟ ମହାପ୍ରଭୁ ରତ୍ନ ବେଦୀ ବିଜେ କରିବା ପରେ ପ୍ରଥମ ନୀଳାଦ୍ରୀ ଅବଡା ବାହାରିଛି। ଏହି ମହାପ୍ରସାଦକୁ ପାଇବା ପାଇଁ ଅନେକ ଭକ୍ତ ଏହି ଦିନକୁ ଅନେଇ ବସିଥାନ୍ତି। ଚଳିତ ବର୍ଷ କୋଭିଡ୍‌-୧୯ ଲାଗୁ କରାଯାଇଥିବା ଯୋଗୁଁ ଶ୍ରୀ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି। ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଯେଉଁ ଭଳି ଅବଡା ମିଳିବା ପାଇଁ ବ୍ୟବସ୍ଥା କରାଯାଇଥିଲା ସେହିପରି ନୀଳାଚଳ ଅବଡା ପାଇବା ପାଇଁ ଉତ୍ତର ପାର୍ଶ୍ୱ ମଠରେ ଅସ୍ଥାଇ କାଉଁଟର କରାଯାଇଛି। ମୋବାଇଲ କଲ୍ ମାଧ୍ୟମରେ ଭକ୍ତମାନେ ଅବଡା ବରାଦ ଦେଇପାରିବେ। ଚଳିତ ବର୍ଷ କୋଭିଡ୍‌-୧୯ ପାଇଁ ମହାପ୍ରଭୁଙ୍କର ଘୋଷଯାତ୍ରା ହେରାପଂଚମୀ ସଂନ୍ଧ୍ୟା ଦର୍ଶନ ବାହୁଡା ଯାତ୍ରା ଲକ୍ଷ୍ମୀନାରାୟଣ ଭେଟ ରଥ ଉପରେ ରାଜ୍ ରାଜେଶ୍ୱର ବେଶ, ଅଧରପଣା ନୀତି ଓ ନୀଳାଦ୍ରୀ ବିଜେ ନୀତି ବିନା ଭକ୍ତରେ ଅନୁଷ୍ଠିତ ହୋଇ ଶ୍ରୀ ମନ୍ଦିର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଚଳିତ ବର୍ଷ ମହାପ୍ରଭୁଙ୍କର ସମସ୍ତ ନୀତି ଶୃଙ୍ଖଳିତ ଭାବେ ସଂପର୍ଣ୍ଣ ହୋଇଥିଲା। ଭକ୍ତମାନେ ଚର୍ମଚକ୍ଷୁରେ ମହାପ୍ରଭୁଙ୍କୁ ଦର୍ଶନ କରିନପାରିଥିବା ବେଳେ ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ପାଇଥିଲେ।