Odiapua.com

ଆଜି ଦେବସ୍ନାନ ପୂର୍ଣ୍ଣିମା :  ଜନଶୂନ୍ୟ ନେମାଳ ପଦ୍ମ ବନ ପୀଠ

ନିଶ୍ଚିନ୍ତକୋଇଲି : ୨୪/୦୬ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ଦେବସ୍ନାନ ପୂର୍ଣ୍ଣିମାରେ କଟକ ଜଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଜନଶୂନ୍ୟ।ଏହି ଦିନକୁ ମହାପୁରୁଷଙ୍କ ମହାପ୍ରୟାଣ ଦିବସ ଭାବରେ ପାଳନ କରାଯାଇଥାଏ।ଏହି ଦିବସରେ ଚଳଚଞ୍ଚଳ ହୋଇଉଠେ ପଦ୍ମ ବନ ପୀଠ। ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସମାଗମ ହୋଇଥାଏ ଏହି ପୀଠରେ। ମହାପୁରୁଷ ଅଚ୍ୟୁତାନନ୍ଦ ଥିଲେ ଦିବ୍ୟଦ୍ରଷ୍ଟା ଓ ମହାନ ସାଧକ ତଥା ଭବିଷ୍ୟତ ମାଳିକାକାର, ଉତ୍କଳୀୟ ବୈଷ୍ଣବ କବି ଓ ଜଗନ୍ନାଥଙ୍କର ପରମଭକ୍ତ। କଥିତ ଅଛି ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳ ଆସିଥାନ୍ତି ସେଥିପାଇଁ କୁହାଯାଇଛି ”ଯେଉଁ ଜଗନ୍ନାଥ ମୁରତି ନିଳାଞ୍ଚଳରେ ସ୍ଥିତ ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ”। କେଉଁ କାଳରୁ ବହୁ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ଲମ୍ବିଚାଲିଛି ମହାପୁରୁଷଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଓ ଯାତ୍ରା। ଶହସ୍ରାଧିକ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ ଆଜିର ଦିନରେ। ମାତ୍ର ଗତ ଦୁଇ ବର୍ଷ ହେଲା ଏହିଯାତ୍ରା ମହାମାରୀ କରୋନା ପାଇଁ ବନ୍ଦ ହୋଇଛି। ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ପୀଠ ଚତୁପାର୍ଶ୍ୱ ରେ ଜାରି କରାଯାଇଛି ୧୪୪ଧାରା। ଆଜି ସ୍ଥାନଟି ଜନଶୂନ୍ୟ ଓ ଭକ୍ତ ଶୂନ୍ୟ ପରିଲକ୍ଷିତ ହୋଇଛି। ନିଶ୍ଚିନ୍ତକୋଇଲି ତହସିଲଦାରତଥା ଟ୍ରଷ୍ଟ ର ସଦସ୍ୟ ମାନସରଞ୍ଜନ ତରାସିଆ, ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ପୋଲିସ ଟିମ ସହ ଉପସ୍ଥିତ ରହିଛନ୍ତି। କୋଭିଡ କଟକଣା ମଧ୍ୟରେ ସେବାୟତ ସଂଘ ସଭାପତି କ୍ଷମାନିଧି ପୂଝାରୀଙ୍କ ତତ୍ୱାବଧାନରେ ସେବାପୂଜା ଓ ନୀତିକାନ୍ତି ସମ୍ପନ୍ନ ହେଉଛି।