Odiapua.com

ଆଜି ଠାରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୀତଳ ଉପଚାର ନୀତି ଆରମ୍ଭ, ଜଳାଭିଷେକ ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସକାଳ ୬ରୁ ୧୦ଟା ଯାଏଁ ଲାଗିହେବ ଜଳ

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିଠାରୁ ଅର୍ଥାତ ମଙ୍ଗଳବାର ମହାବିଷୁବ ସଂକ୍ରାନ୍ତି ଅବହରରେ ଏକମାସଧରି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୀତଳ ଉପଚାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରଯ୍ୟାୟରେ ପହଁଚିଛି। ଗ୍ରୀଷ୍ମ ଋତୁରେ ମଣିବାବାଙ୍କର ଉପଶମ ପାଇଁ ଶହଶହ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଧରି ବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରିବାର ପ୍ରଥା ରହିଛି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ଼ କରାଯାଇଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଭିତରେ ବାହାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଦୈନନ୍ଦିନ ନୀତିନୀର୍ଘଂଟର ସାମନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ପଣାଭୋଗଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି ହେବା ପରେ ଶୀତଳ ଉପଚାର ନୀତି ନିମନ୍ତେ ସକାଳ ୬ଟାରୁ ୧୦ଟା ଯାଏଁ ଗୋପାଳଭକ୍ତଙ୍କର ଜଳଲାଗି କରାଯିବ। ସମସ୍ତ ସକାଳ ଧୂପ ସହ ମଧ୍ୟାହ୍ନ ନୀତି ୧ଟା ସୁଧା ସରିବା ପରେ ଅବକାଶ ନୀତି କରାଯାଇ ସେବାୟତଙ୍କ ଦ୍ୱାରା ପଣାଭୋଗଲାଗି କରାଯିବ। ଅପରାହ୍ଣରେ ବାବାଙ୍କୁ ବିଭିନ୍ନ ଅଳଙ୍କାର ଓ ଫୁଲରେ ଆଭୁଷଣ କରାଯାଇ ବଡସିହାଂର ବେଶରେ ସଜିତ କରାଯିବ।