Odiapua.com

ଆଜି କାର୍ଗିଲ ବିଜୟ ଦିବସରେ ଓଡ଼ିଶାର ସହିଦ ଗୋପୀନାଥଙ୍କୁ ଝୁରୁଛି ଗାଁ ମାଟି

କଟକ : ୨୬/୦୭ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ହେଉଛି କାର୍ଗିଲ ବିଜୟ ଦିବସ। କାର୍ଗିଲ ଯୁଦ୍ଧରେ ଓଡିଶାରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରଣା। ଗୋପୀନାଥ ମାତ୍ର ୧୮ବର୍ଷ ବୟସରେ ୫୨୮ ବାଟାଲିୟନରେ ସାମିଲ ହୋଇ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। କାର୍ଗିଲ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୩ ବର୍ଷ ବୟସରେ ସହିଦ ହୋଇଥିଲେ। ଇତିମଧ୍ୟରେ କାର୍ଗିଲ ଯୁଦ୍ଧକୁ ପୁରିଛି ୨୩ ବର୍ଷ। ଯୁଦ୍ଧରେ ସହିଦ ହୋଇଥିବା ଗୋପୀନାଥଙ୍କୁ ଝୁରୁଛି ଜନ୍ମମାଟି। ପିତା ଯଦୁମଣି ମହାରଣାଙ୍କର ଇତିମଧ୍ୟର ପରଲୋକ ହୋଇଯାଇଥିବା ବେଳେ, ମାତା ଝୁମୁରୀ ମହାରଣା ପୁଅର ପ୍ରତିମୂର୍ତ୍ତିନିକଟରେ ଅତୀତକୁ ମନେପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି। ଆଜିବି ତାଙ୍କର ଜନ୍ମମାଟି ସହିଦ ଗୋପୀନାଥଙ୍କ ଦେଶ ମାତୃକା ପାଇଁଦେଇଥିବା ବଳିଦାନର ସ୍ମୃତିକୁ ଉଜାଗର କରୁଛି। ଜୁଲାଇ ୨୬ ତାରିଖ ଦିନଟିକୁ ସାରାଭାରତ ବର୍ଷ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି। ଆଜିର ଦିନରେ ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୃହତ ବିଜୟ ହୋଇଥିଲା। ଏଥିପାଇଁ ପ୍ରତ୍ୟେକ ଭାରତୀୟ ଆଜିର ଦିବସରେ ଗର୍ବର ସହ ଭାରତ ମାତାର ଜୟଗାନ କରୁଛନ୍ତି। କାର୍ଗିଲ ବିଜୟ ଦିବସରେ ଏଥିପାଇଁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନାର୍ଦ୍ଦନ ପୁର ସରପଞ୍ଚ ବିଶ୍ୱଭୂଷଣ ନାୟକ, ପଞ୍ଚାୟତ କଳାପରିଷଦ ସଭାପତି ପ୍ରମୋଦ ନାୟକ, ସମ୍ପାଦକ ବିଶ୍ୱଜିତ ପରିଡା, ଜନାର୍ଦ୍ଦନ ପୁର ସମିତି ସଭ୍ୟ ରଞ୍ଜନ କୁମାର ବେହେରା, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ନାରାୟଣ ଭୂୟାଁ, ପ୍ରମୁଖ ସହିଦ ଗୋପୀନାଥ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ସହିଦଙ୍କ ମାତା ଝୁମୁରୀ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।