Odiapua.com

ଆଜିମଧ୍ୟ ଗଡିଲାନି ଘରୋଇ ବସ୍‌

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦେଶରେ ଲକଡାଉନ ଚାଲିଥିବା ଯୋଗୁଁ ଦୀର୍ଘ ଅଢେଇ ମାସ ଧରି କୌଣସି ଘରୋଇ କିମ୍ବା ସରକାରୀ ବସ୍ ଚଳାଚଳ କରୁନଥିଲା। ଗତକାଲି ରାଜ୍ୟ ସରକାରଙ୍କର ନିଷ୍ପତି ଅନୁଯାୟୀ ଆଜିଠାରୁ ଘରୋଇ ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଥିଲେ ସୁଧା ପୁରୀ ବସ୍‌ଷ୍ଟାଣ୍ଡ ରୁ କୌଣସି ବସ୍ ଆଜି ଚଳାଚଳ କରିନଥିବା ଦେଖାଯାଇଥିଲା। ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରମୁଖ ତୀର୍ଥ ସ୍ଥଳ ପୁରୀରୁ ଦୈନଦିନ ରାଜ୍ୟ ଓ ରାଜ୍ୟ ବାହାରକୁ ଶତାଧିକ ବସ୍ ଚଳାଚଳ କରୁଥିଲା। ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ବସ୍ ଚଳାଚଳ ବନ୍ଦ ରହିଥିଲା। ସେହିପରି ଆଜି ସହରରେ ଅଳ୍ପ ସଂଖ୍ୟକ ଅଟୋ ଓ ଘରୋଇ ଟ୍ୟାକ୍ସି ଚଳାଚଳ ଆରମ୍ଭ କରିଛି। ପୁରୀ ସହରକୁ କୌଣସି ରେଳସେବା ଓ ବସ୍‌ସେବା ନଥିବା ଯୋଗୁଁ ବାହାରୁ କୌଣସି ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ସହରକୁ ଆସୁନାହାନ୍ତି। ଯାତ୍ରୀ ନଆସିଲେ ଅଟୋ ଚାଳକ ଓ ଘରୋଇ ଟ୍ୟାକ୍ସି ଚାଳକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସହରରେ ମଧ୍ୟ ରିକ୍ସା ବହୁଳ ଭାବରେ ଚାଲିନଥିବା ଦେଖାଯାଇଛି। ରିକ୍ସା ଗ୍ୟାରେଜ ଗୁଡିକରେ ରିକ୍ସା ଗୁଡିକ ସେହିପରି ଛିଡା ହୋଇ ରହିଛି।