Odiapua.com

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି : ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ

ପୁରୀ ୧୫ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜିଠାରୁ ଶ୍ରୀମନ୍ଦିର ରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି। ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ ହରିଉତ୍ଥାପନ ଏକାଦଶୀରେ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର। କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ “ଲକ୍ଷ୍ମୀନାରାୟଣ ଵା ଠିଆକିଆ” ବେଶ ହୋଇଥାଏ। ଉପରୋକ୍ତ ବେଶ ଥାଇ ଜୀଊମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଥାଏ। ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାନ୍ତି। କାର୍ତିକ ମାସରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି। ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ। ଏତଦବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ୱର୍ଣ୍ଣକିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ତେବେ ରାଜବେଶରେ ତିନିଗୋଟି ସୁନା କିରୀଟ ଲାଗି ହୁଅନ୍ତି। ଏହି ବେଶ ସ୍ନାନନୀତି ପରେ ଆରମ୍ଭ ହୁଏ ଏବଂ ବାଳଧୂପ ପର୍ଯ୍ୟନ୍ତ ରହେ। କାର୍ତ୍ତିକ ମାସରେ ବାଳଧୂପ କରାଯାଏ।

ଏହି ବେଶର ଅନ୍ୟନାମ ହେଲା ଠିଆକିଆ ବେଶ। ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ନାମ ଏପରି କରାଯାଇଛି।

ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ। ଆଉ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି, ଯାହାକୁ ହରିଉତ୍ଥାପନ ଏକାଦଶୀ କୁହାଯାଇଥାଏ। ସେପଟେ ଶ୍ରୀମନ୍ଦିର SOP ଅନୁଯାୟୀ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି। ଆଜି ବଡ଼ ଏକାଦଶୀ ରେ ଭକ୍ତ ଙ୍କ ଭିଡ଼ ହେବା ଆଶଙ୍କା କୁ ଦ୍ରୁଷ୍ଟି ରେ ରଖାଯାଇ କୋଭିଡ କଟକଣା ଅନୁଯାୟୀ ଦର୍ଶନ ବନ୍ଦ ରହିଛି। ଏଣୁ ପବିତ୍ର ପଞ୍ଚୁକ ର ପ୍ରଥମ ଦିବସ ରେ ମହାପ୍ରଭୁଙ୍କ ଆକର୍ଷଣୀୟ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ରୁ ଭକ୍ତ ବଂଚିତ ହୋଇ ଚନ୍ତି। ତେବେ ଆସନ୍ତା କାଲି ଶ୍ରୀମନ୍ଦିର ଭକ୍ତ ଙ୍କ ପାଇଁ ଖୋଲା ଥିବା ବେଳେ ମହାପ୍ରଭୁଙ୍କ ର ବାଙ୍କ ଚୁଡ଼ ବେଶ ଦର୍ଶନ କରି ପାରିବେ। ପରେ ଦୁଇ ଦିନ ଶ୍ରୀମନ୍ଦିର ଖୋଲା ଥିବା ବେଳେ ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ମଧ୍ୟ ଭକ୍ତ ଦର୍ଶନ କରି ପାରିବେ। ତେବେ ଶ୍ରୀମନ୍ଦିର sop ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ କୋଭିଡ କଟକଣା ଅନୁଯାୟୀ ସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁ କାର୍ତ୍ତିକ ପୂର୍ଣ୍ଣିମା ରେ ସୁନା ବେଶ ତଥା ରାଜଧିରାଜ ବେଶ ରେ ବିଭୂଷିତ ହେବେ। ତେବେ ଦର୍ଶନ କଟକଣା ଥିବା ରୁ ଭକ୍ତ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ରୁ ବଂଚିତ ହେବେ।