Odiapua.com

ଆଜିଠାରୁ ଭକ୍ତଙ୍କ ଲାଗି ନିୟମିତ ଖୋଲିବ ଶ୍ରୀମନ୍ଦିର

ପୁରୀ, ୧୨-୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଏଣିକି ଭକ୍ତମାନଙ୍କ ଦର୍ଶନ ଲାଗି ପ୍ରତ୍ୟେହ ଶ୍ରୀମନ୍ଦିର ଖୋଲିବ। ଆଜି ୧୨ ତାରିଖ ଠାରୁ ପ୍ରତିଦିନ ଭକ୍ତମାନେ ଶ୍ରୀମନ୍ଦରିରେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ। ଫଳରେ ଆସନ୍ତା ରବିବାର ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି। ନୂତନ ଏସ୍‌ଓପି ସମ୍ପର୍କରେ ସୂଚନାଦେଇ ମୁଖ୍ୟପ୍ରଶାସକ କହିଥିଲେଯେ, ଆନନ୍ଦବଜାରରୁ ଭକ୍ତମାନେ ଏଣିକି ଅଭଡ଼ା ନେଇପାରିବେ। ସକାଳ ୬ରୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହେବ। ପୁରୀ ଭକ୍ତମାନଙ୍କ ପାଇଁ ସକାଳ ୬ରୁ ୭ଟା ପର୍ଯ୍ୟନ୍ତ ଦର୍ଶନ ଲାଗି ଦିଆଯାଉଥିବା ସୁଯୋଗ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ସମସ୍ତ ଭକ୍ତ ସକାଳ ୬ଟାରୁ ଶ୍ରୀମନ୍ଦିର ବନ୍ଦ ରହିବା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ। ସାନିଟାଇଜେସନ୍ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିଲା। ଏବେ ତାହାର ପରିବର୍ତ୍ତନ କରାଯାଇଛି। ଶ୍ରୀମନ୍ଦିର ଦର୍ଶନାର୍ଥଙ୍କ ପାଇଁ ବନ୍ଦହେବା ପରେ ସପ୍ତାହରେ ତିନିଥର ରାତିରେ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ। ସିଂହଦ୍ୱାରଦେଇ ସମସ୍ତ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅନ୍ୟ ତିନି ଦ୍ୱାରଦେଇ ସେମାନେ ପ୍ରସ୍ଥାନ କରିବେ। ତେବେ କୋଭିଡ଼ କଟକଣା ଆଧାରରେ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପରିଧାନ ଓ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ ଭଳି ନିୟମ ବଳବତ୍ତର ରହିବ। ଶ୍ରୀମନ୍ଦିରେ ପାନ ଓ ଗୁଟୁକା ଖାଇ ଛେପ ପକାଇଲେ ଜରିମାନା ଦେବାର ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଏଥିପାଇଁ ଜିଲ୍ଲା ପ୍ରାଶସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାର୍ଡ଼ ଗଠନ କରାଯିବ। ପାନ ଓ ଗୁଟୁକା ଖାଇ ଛେପ ପକାଉଥିବା ବ୍ୟକ୍ତିମାନଙ୍କ ଠାରୁ ଏକ ହଜାରଟଙ୍କା ଲୋଖାଁଏ ଜରିମାନା ଆଦାୟ କରାଯିବ। ଶ୍ରୀମନ୍ଦିରମଧ୍ୟକୁ ଯେପରି କୌଣସି ପ୍ରକାର ପଲଥିନ୍ ପ୍ରବେଶ କରିନପାରିବ ସେଥିଲାଗି ଅଧିକ ଧ୍ୟାନ ଦିଆଯିବ।