Odiapua.com

ଆଜିଠାରୁ ଆଡପ ମଣ୍ଡପ ଅବଢ଼ା – ଚତୁର୍ଦ୍ଧାମୂର୍ତ୍ତି ଙ୍କ ଆଡପ ମଣ୍ଡପ ବିଜେ

ପୁରୀ, ୨୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆସନ୍ତା କାଲି ୨୫ ତାରିଖ ଠାରୁ ଆଡପ ମଣ୍ଡପ ଅବଡା ବାହାରିବ। ଗତକାଲି ରତ୍ନ ବେଦୀ ରୁ ଜନ୍ମବେଦୀ କୁ ବାହାରିଥିବା ଚତୁର୍ଦ୍ଧାମୂର୍ତ୍ତି ଶରଧାବାଲି ଠାରେ ପହଂଚିଥିଲେ। ଗତକାଲି ଶାନ୍ତ ଶୃଙ୍ଖଳା ସହ ରଥଯାତ୍ରା ସଂପର୍ଣ୍ଣ ହେବା ପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଆଡପ ମଣ୍ଡପ କୁ ବିଜେ କରୁଛନ୍ତି।

ଆଜି ସକାଳେ ମହାପ୍ରଭୁ ଙ୍କର ଦୈନଦିନ ନୀତି ମଙ୍ଗଳା ଆଳତୀ, ଅବକାଶ, ବେଶ ଲାଗି, ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସଂନ୍ଧ୍ୟା ଆଳତୀ ଓ ସଂନ୍ଧ୍ୟା ଧୂପ ସରିବା ପରେ ଚାର ମାଳ ବନ୍ଧାଯିବା ସହ ରଥରୁ ଅଶ୍ୱ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା।

ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣ ଗୁଣ୍ଡିଚା ମନ୍ଦିର କୁ ଯାଇ ଆଡପ ମଣ୍ଡପରେ ବିଜେ କରିଥିଲେ। ପରେ ଚକ୍ରରାଜ୍ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ପହଣ୍ଡି ବିଜେ କରାଯାଇ ଆଡପ ମଣ୍ଡପକୁ ନିଆଯାଉଛି।

ରଥରୁ ଓହ୍ଲେଇବା ବେଳେ ରାଘବ ଦାସ୍ ମଠ ଦ୍ୱାରା ପ୍ରସ୍ତୁତ ଟାହ୍ୟା ଲଗାଯାଇଥିଲା। ଟାହ୍ୟା ଲଗାଇ ମହାପ୍ରଭୁ ଗୋଟି ପହଣ୍ଡି ରେ ଝୁଲି ଝୁଲି ଆଡପ ମଣ୍ଡପକୁ ବିଜେ କରୁଛନ୍ତି।

ପୂର୍ବରୁ ଆଡପ ମଣ୍ଡପ ରେ ଚାରମାଳ ବନ୍ଧା ଯାଇଥିଲା।

ଚଳିତ ବର୍ଷ କୋଭିଡ୍‌-୧୯ ଲାଗୁ କରଯାଇଥିବା ଯୋଗୁଁ ଆଡପ ମଣ୍ଡପରେ ମଧ୍ୟ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀ ଜିଉ ମାନଙ୍କ ଦର୍ଶନ କରି ପାରିବେ ନାହିଁ।

ଶ୍ରୀ ମନ୍ଦିର ରେ ବର୍ଷତମାମ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳିନଥାଏ ଆଡପ ମଣ୍ଡପରେ ବହୁତ ପୁଣ୍ୟ ମିଳିଥାଏ ବୋଲି କଥିତ ଅଛି। ଶ୍ରଦ୍ଧାଳୁ ଭକ୍ତମାନେ ଏହି ଗୋଟିଏ ଦିନ କୁ ଅପେକ୍ଷା କରିଥାନ୍ତି ଯାହାକି ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ଆଡପ ମଣ୍ଡପ ର ଅବଡା ବ୍ରାହ୍ମଣ ମାନଙ୍କୁ ଖୁଆଇଥାନ୍ତି।

ଆଜି ମଧ୍ୟ ସୀମୀତ ସେବାୟତ ମାନଙ୍କ ଦ୍ୱାରା ସାମାଜିକ ଦୂରତା ରଖି ଶ୍ରୀ ଜିଉ ମାନଙ୍କୁ ପହଣ୍ଡି ବିଜେ କରାଯାଉଛି।

ପ୍ରତି ବର୍ଷ ପହଣ୍ଡି ସମୟରେ ଶରଧାବାଲି ରେ ଯେଉଁ କୋଳାହଳ ଲାଗିଥାଏ ତାହା ଆଜି ଦେଖାଯାଇ ନଥିଲା।