Odiapua.com

ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ : ବିଜୟ ପାଲ ସିଂ ତୋମାର

ଓଡିଶା ଗସ୍ତରେ ରାଜ୍ୟ ବିଜେପି ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର
– ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି
– ରାଜ୍ୟରେ ତୃମମୂଳ ସ୍ତରରେ ବିଜେପି ସଙ୍ଗଠନକୁ ସୁଦୃଢ କରିବା କାର୍ଯ୍ୟରେ ଲାଗିଛି ମୋଦି ସରକାର
– ଚାଷୀଙ୍କୁ ସଶକ୍ତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ ନୂତନ କୃଷି ଆଇନ ଲାଗୁ କରିଛନ୍ତି
– ଦେଶର ୯୫ ପ୍ରତିଶତ ଚାଷୀ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି
– ୬୦ ବର୍ଷ ଧରି କଂଗ୍ରେସ ସରକାର ୫୪ ପ୍ରତିଶତ ଜମିରେ ସିଂଚାଇ ବ୍ୟବସ୍ଥା କରିପାରିନାହିଁ
– କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ପୂର୍ବରୁ ସିଏଏ ଏବଂ ଏବେ କୃଷକ ଆଇନକୁ ବିରୋଦ୍ଧ କରି କଂଗ୍ରେସ ଆନ୍ଦୋଳନ କରୁଛି
– ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ
– ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି
ଭୁବନେଶ୍ୱର ୬/୧ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି। ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି। ଗତ କିଛିଦିନ ମଧ୍ୟରେ ହୋଇଥିବା ନିର୍ବାଚନ ଏବଂ ଉପନିର୍ବାଚନରେ ବିଜେପି ଦେଶର ବିଭିନ୍ନ ସ୍ଥାନରେ ବାଜିମାତ୍ କରିଛି। ତେଲେଙ୍ଗାନା ଉପନିର୍ବାଚନ, ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ ନିର୍ବାଚନ, ଜମ୍ମୁ କାଶ୍ମିରୀ ଡିଡିସି ନିର୍ବାଚନ, ରାଜସ୍ଥାନର ପଂଚାୟତ ନିର୍ବାଚନ, ଗୁଜୁରାଟ ଓ ଉତରପ୍ରଦେଶ ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସାଧାରଣ ଜନତା ଆଶୀର୍ବାଦ କରିଛନ୍ତି। ରାଜ୍ୟରେ ତୃମମୂଳ ସ୍ତରରେ ବିଜେପି ସଙ୍ଗଠନକୁ ସୁଦୃଢ କରିବା କାର୍ଯ୍ୟରେ ଲାଗିଛି। ଆଗାମୀ ନିର୍ବାଚନରେ ୫୧ ପ୍ରତିଶତ ଭୋଟ ସହ ଆମେ ସରକାର ଗଠନ କରିବୁ ବୋଲି ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନ ସଂପର୍କରେ ଶ୍ରୀ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୃଷକର ଆୟକୁ ଦ୍ୱିଗୁଣିତ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏବେ ନୂତନ କୃଷି ଆଇନ ଆଣି ମୋଦି ସରକାର ଚାଷୀଙ୍କୁ ସଶକ୍ତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିଛନ୍ତି। ଦେଶର ୯୫ ପ୍ରତିଶତ ଚାଷୀ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି। ବିଗତ ୧୫ ବର୍ଷରେ କଂଗ୍ରେସର ୧୦ ମୁଖ୍ୟମନ୍ତ୍ରୀ ଏବଂ ୧୨ଟି ଏକ୍ସପର୍ଟ କମିଟି କୃଷି ବିଲ୍ ରେ ସୁଧାର ଆଣିବା ଲାଗି ସୁପାରିଶ କରିଥିଲେ। କିନ୍ତୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ପରାଜୟ ହେବା କାରଣରୁ ହତୋତ୍ସାହିତ ହୋଇ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅପମାନିତ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛି। ୬୦ ବର୍ଷ ଧରି କଂଗ୍ରେସ ସରକାର ୫୪ ପ୍ରତିଶତ ଜମିରେ ସିଂଚାଇ ବ୍ୟବସ୍ଥା କରିପାରିନାହିଁ। ଶୀତଳ ଭଣ୍ଡାର ନଥିବାରୁ ଦେଶର ୨୫ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଉଛି। ସାରା ଦେଶର ଜନତା ବିରୋଧୀଙ୍କ ଷଡଯନ୍ତ୍ରକୁ ବୁଝିସାରିଛନ୍ତି।

୧୮ କୋଟି ସଦସ୍ୟଙ୍କୁ ନେଇ ବିଜେପି ବିଶ୍ୱର ସବୁଠୁ ବଡ ଦଳ ଭାବେ ଛିଡା ହୋଇଛି। ଏଠି ସାଧାରଣ କାର୍ଯ୍ୟକର୍ତା ଦେଶର ପ୍ରଧାନନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି। କିନ୍ତୁ କଂଗ୍ରେସ ହେଉଛି ଏକ ପାରିବାରିକ ଦଳ। କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ପୂର୍ବରୁ ସିଏଏ ଏବଂ ଏବେ କୃଷକ ଆଇନକୁ ବିରୋଦ୍ଧ କରି କଂଗ୍ରେସ ଆନ୍ଦୋଳନ କରୁଛି ବୋଲି ଶ୍ରୀ ତୋମାର କହିଛନ୍ତି।

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯିବା ପ୍ରସଙ୍ଗରେ ଶ୍ରୀ ତୋମାର କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି। ଆମେ ହିଂସା ଏବଂ ହତ୍ୟାରେ ଭୟଭୀତ ହେବୁ ନାହିଁ।

ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ତୋମାରଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଠାକୁର ରଂଜିତ ଦାସ, କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।