Odiapua.com

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦନ୍ତ ଚିକିତ୍ସା ସେବା ଠିକ୍ ଭାବେ ପାଇପାରୁନାହାନ୍ତି ରୋଗୀ

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚେଷ୍ଟିତ ହେଉଥିବା ବେଳେ ସେବା ଯୋଗାଇ ଦେବା ପାଇଁ ନିଯୁକ୍ତି ପାଇଥିବା ଡ଼ାକ୍ତର ଠିକ୍ ଭାବେ ରୋଗୀଙ୍କୁ ସେବା ଦେଉନଥିବାରୁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରୁ ନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ । ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ । ମାତ୍ର ଏହିପରି ସ୍ଥଳେ ଶିଶୁ ବିଭାଗ ବିଶେଷଜ୍ଞ ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରିଣୀ ଦାୟୀତ୍ୱରେ ରହିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ,ଅସ୍ତ୍ରୋପଚାର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି । ୪ଜଣ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ସ୍ଥଳେ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି ।

ସେହିପରି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଦନ୍ତ ଚିକିତ୍ସା ନିମନ୍ତେ ଡ଼ାକ୍ତର ନିଯୁକ୍ତି ପାଇଥିଲେ ସୁଦ୍ଧା ରୋଗୀମାନେ ଉକ୍ତ ସେବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଦନ୍ତ ଚିକିତ୍ସା ନିମନ୍ତେ ସମସ୍ତ ସରଂଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଥିଲେ ସୁ୍‌ଧା ଏହା କାର୍ଯ୍ୟରେ ଲାଗିପାରୁ ନାହିଁ । ଦାନ୍ତ ଉପାଡ଼ିବାକୁ ହେଲେ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ସରକାରଙ୍କ ଦ୍ୱାରା ନିର୍ଘଣ୍ଟ ସମୟ ସୀମା ମଧ୍ୟରେ ଉକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିଯୁକ୍ତି ପାଇଥିବା ଡ଼ାକ୍ତର ଜଣକ ସ୍ୱାସ୍ଥ୍ୟକେନ୍ଦ୍ରରେ ଊପସ୍ଥିତ ନଥାନ୍ତି । ଅପରାହ୍ନରେ ନିର୍ଘଣ୍ଟ ସମୟରେ ସେ କେବେବି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ହେଉନଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି । ସପ୍ତାହର ଗୁରୁବାର ବ୍ୟତିତ ଅନ୍ୟଦିନ ମାନଙ୍କରେ ଉକ୍ତ ସେବା ଯୋଗାଇ ଦେବାକୁ ନିୟମ ଥିବାବେଳେ ରୋଗୀମାନେ ଏହା ଠିକ୍ ଭାବେ ପାଉନଥିବା ଅଭିଯୋଗ କରୁଛନ୍ତି । ସୂଚନା ଅନୁଯାୟୀ; ନିଯୁକ୍ତି ପାଇଥିବା ଡ଼ାକ୍ତର ଜଣଙ୍କ ଜିଲ୍ଲାରେ ଏକ କ୍ଲିନିକ୍‌ରେ ରୋଗୀ ସେବା କରିବାରେ ବ୍ୟସ୍ତ ରହୁଥିବାରୁ ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକ୍ ଭାବେ ସେବା ଦେଇପାରୁ ନାହାନ୍ତି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ସେବା ପାଇଁ ନିଯୁକ୍ତି ପାଇଥିବା ଡ଼ାକ୍ତରଙ୍କୁ ତାଙ୍କ କାର୍ଯ୍ୟ ସୂଚାରୂ ରୂପେ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।