Odiapua.com

ଆଗରପଡ଼ା:ସାର ପାଇଁ ଚାଷୀ ଉତ୍ତେଜନା

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚାଷୀମାନେ ପୁରୁଷଣ୍ଢ ସେବା ସମବାୟ ସମିତିରୁ ସାର ନପାଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମିତିରେ ରିହାତି ଦରରେ ୟୁରିଆ ସାର ବିକ୍ରୟ କରାଯିବ ବୋଲି ଶତାଧିକ ଚାଷୀମାନେ ସମିତି କାର୍ଯ୍ୟାଳୟ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ସଂପାଦକଙ୍କ ଅନୁପସ୍ଥିତ ଯୋଗୁଁ ସାର ପାଇ ପାରିନଥିଲେ । ଯଦ୍ୱାରା ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଂଚିବା ପରେ ଏହି ସମିତିର ଜଣେ ପୂର୍ବତନ ସଭ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଉକ୍ତ ସମିତି ସଂପାଦକର ଦାୟିତ୍ୱ ସରମରା ସମିତି ସଂପାଦକ ତୁଲାଉଛନ୍ତି । କିନ୍ତୁ ସେ ଏଠାକୁ ନିର୍ଦ୍ଦାରିତ ଦିବସରେ ଆସୁନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବାର ଅଭିଯୋଗ ମାନ ମଧ୍ୟ ହେଉଛି । ଧାନ ରୁଇବାର ୧୫ଦିନ ମଧ୍ୟରେ ୟୁରିଆ ସାର ପ୍ରୟୋଗ କଲେ ଧାନ ହୃଷ୍ଟପୃଷ୍ଟ ହୋଇଥାଏ । ମାତ୍ର ଇତି ମଧ୍ୟରେ ଧାନ ରୁଇବାର ପ୍ରାୟ ୪୫ଦିନ ପାଖାପାଖି ଅତିକ୍ରମ କରିଯାଇଥିଲେ ସୁଦ୍ଧା ଚାଷୀମାନଙ୍କୁ ଆଜି ପର୍ଯ୍ୟନ୍ତ ସାର ମିଳି ପାରି ନାହିଁ । ଯଦ୍ୱାରା ଚାଷୀମାନେ ହୀନସ୍ତା ହେବା ସାର ହୋଇଛି । ଏହି ସମିତି ଉପରେ ୭ଟି ପଂଚାୟତର ଚାଷୀମାନେ ନିର୍ଭର କରିଥାନ୍ତି । ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ସମିତି ମାଧ୍ୟମରେ ଦିଆଯାଉଥିବା ସୁବିଧା ସୁଯୋଗକୁ ଯଦି ସମିତି ସଂପାଦକଙ୍କ ପକ୍ଷରୁ ନୋଟିସ୍ ମାଧ୍ୟମରେ ସୂଚିତ କରାଯାଆନ୍ତା ତେବେ ଚାଷୀ ମାନେ ଅଜଥାରେ ସମସ୍ୟାର ସମ୍ମୁଖିନ ହୁଅନ୍ତେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଇତି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ଫଳରେ ବିଳମ୍ବରେ ସମିତି ପକ୍ଷରୁ ଚାଷୀଙ୍କୁ ସାର ବିକ୍ରୀ କରାଯାଇଥିଲା ।