Odiapua.com

ଆଗରପଡ଼ାରେ ହାତୀ ଆତଙ୍କ

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଆଗରପଡ଼ାରେ ହାତୀ। ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସଂଧ୍ୟା ପରେ ଲୋକେ ବାହାରକୁ ବାହାରିବା ପାଇଁ ନିଜକୁ ନିରାପଦ ମଣୁ ନାହାନ୍ତି। ଗତ ସୋମବାର ସଂଧ୍ୟାରେ ଏକ ଦନ୍ତା ହାତୀ ଆଗରପଡ଼ା ସ୍ଥିତ ଗୋପିନାଥପୁର ଗ୍ରାମର ସାଳନ୍ଦୀ ନଦୀ କୂଳରେ ବୁଲୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ପରେ ହାତୀଟି ବିଭିନ୍ନ ଗ୍ରାମ ପରିକ୍ରମା କରି ମଙ୍ଗଳବାର ନରାଜପୁର ଗ୍ରାମରେ ବୁଲୁଥିବାର ଦେଖାଯାଇଥିଲା। ବନବିଭାଗ କର୍ମଚାରୀମାନେ ଖବର ପାଇ ହାତୀକୁ ଜଗି ରହିଛନ୍ତି। ହାତୀ ଦେଖିବା ପାଇଁ ଏଠାରେ ଲୋକାରଣ୍ୟ ହୋଇଯାଇଛି। ହାତୀ ନଦୀ କୂଳ ଜଙ୍ଗଲ ମଧ୍ୟରେ ରହିଛି। ହାତୀ ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସିଛି ବୋଲି ଅନୁମାନ କରାଯାଇଛି। ପ୍ରକାଶ ଯୋଗ୍ୟ: କିଛି ବର୍ଷ ତଳେ ଆଗରପଡ଼ା ନିକଟସ୍ଥ ମରଚାଇପଦା ଗ୍ରାମର ସଂଜୁଲତା ରାଉତ୍ (୫୦) ଅନ୍ୟ ୩ ଜଣଙ୍କ ସହ ଆମ୍ବ ଗୋଟାଇବାକୁ ଯାଇଥିଲେ। ପୂର୍ବରୁ ସେଠାରେ ଥିବା ହାତୀ ହଠାତ୍ ସଂଜୁଲତା ଙ୍କୁ ଦଳି ଚକଟି ଜୀବନରୁ ମାରିଦେଇଥିଲା।

ନୂଆ ରଗୁଡ଼ି ଗ୍ରାମର ଜଗନ୍ନାଥ ମଲି୍ଲକ ତାଙ୍କ ପୁଅକୁ ଡ଼ାକିବା ପାଇଁ ଗାଁ ଭିତରକୁ ଯାଉଥିବା ବେଳେ ହାତୀ ସହ ସାମ୍ନାସାମ୍ନି ହୋଇଥିଲେ। ସେ ଦୈାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀ ପଛପଟୁ ଶୁଣ୍ଢରେ ଟାଣି ଆଣି କିଛି ଦୂରକୁ ଫୋପାଡ଼ି ଦେଇଥିଲା। ପ୍ରଥମେ ଆଗରପଡ଼ା ଓ ପରେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀ ଏଠାରେ ଥିବାରୁ ଆଗରପଡ଼ା ଅଂଚଳରେ ଧନ ଜୀବନ କ୍ଷୟକ୍ଷତି ହେବାର ଲୋକମାନେ ଆଶଙ୍କା କରୁଛନ୍ତି। ଏଥିପୂର୍ବରୁ ହଦଗଡ଼ ଜଙ୍ଗଲରୁ ୩ଟା ହାତୀ ବାଟହୁଡ଼ି ଆଗରପଡ଼ାକୁ ପଳାଇ ଆସି ୩ ଜଣଙ୍କୁ ଜୀବନରୁ ମାରି ଦେଇଥିବା ବେଳେ ୫ରୁ ଅଧିକ ଜଣ ଗୁରୁତର ହୋଇଥିଲେ। ବିଭିନ୍ନ ସମୟରେ ମଧ୍ୟ ଭାଲୁ, ହେଟାବାଘ, ହରିଣ ଆଦି ବନ୍ୟ ପଶୁମାନେ ଖାଦ୍ୟ ଅନ୍ୱେଷଣରେ ବାଟହୁଡ଼ି ଆଗରପଡ଼ାକୁ ପଳାଇ ଆସିଥିବାର ନଜିର ରହିଛି। ପ୍ରତି ଦିନ ଜଙ୍ଗଲରେ ଅବାଧରେ ମାଫିଆମାନଙ୍କ ଦ୍ୱାରା ଚୋରାରେ ଗଛ କଟାଯିବା ଓ ସଂପ୍ରତି ଘଟିଥିବା ଫନିରେ ଗଛ ଆଦି ଭାଙ୍ଗି ପଡ଼ିବା ଫଳରେ ଏଥିରେ ଭୟଭୀତ ହୋଇ ଜଙ୍ଗଲୀ ପଶୁମାନେ ଗାଁମୁହାଁ ହେଉ ଥିବାର ଜଣାପଡ଼ିଛି।