Odiapua.com

ଆଗରପଡ଼ାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ମର୍ତ୍ତର ଅମୃତ ମହୁ ଚାଷକୁ ଦିଆଗଲା ଗୁରୁତ୍ୱ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ମହତାବ ମେମୋରିଆଲ ହଲ୍ ଠାରେ ଆଜି ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଶିବିରରେ ଶତାଧିକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ବନ୍ତ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀ ସଚେତନତା ସଭାକୁ ସଞ୍ଚାଳନ କରିଥିଲେ । ଏଥିରେ ମାଷ୍ଟର ଟ୍ରେନର ହରିହର ଗୋଛାୟତ ମହୁ ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ଯାଇ ମହୁ ମର୍ତ୍ତର ଅମୃତ ବୋଲି କହି ପିଲା ଜନ୍ମ ଠାରୁ ଏକାଦଶାହଃ କ୍ରିୟାରେ ଏହାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା ପନିପରିବା ଚାଷ ଯଥା ବାଇଗଣ, ବିଲାତି, ଲଙ୍କା, କୋବି ଆଦି ଚାଷ କରି ଅଧିକ ଅମଳ କିପରି କରି ପାରିବା ତାର ନିରାକରଣ ସହ ସାର ଓ ବିଷର ପ୍ରୟୋଗ ନେଇ ବୁଝାଇଥିଲେ । ଚାନ୍ଦବାଲି ସହକାରୀ ଉଦ୍ୟାନ କୃଷି ଅଧିକାରୀ ସାଧନା ପଣ୍ଡା, ବାସୁଦେବପୁରର ସୋନାଲି ସାହୁ, ଉଦ୍ୟାନ ବିଭାଗର ସହକାରୀ କୃଷି ବୈଜ୍ଞାନିକ ସ୍ୱୟଂଙ୍କା ଦାସ ସରକାରଙ୍କ ବିଭିନ୍ନ ନୂତନ ଯୋଜନା ବାବଧରେ ଅବଗତ କରାଇବା ସହ ଚାଷି ମାନେ ଏହାର ସୁଯୋଗ ନେଇ ଅଧିକ ସ୍ୱାବଲମ୍ବି ହେବାକୁ କହିଥିଲେ । ଆମ୍ବ, ନଡ଼ିଆ, ପିଜୁଳି, ଲେମ୍ବୁ ଚାଷ କରି ଚାଷି କିପରି ଉପକୃତ ହୋଇପାରିବେ ସେ ନେଇ ତାଲିମ ଦେଇଥିଲେ । ଏହି ଅବସରରେ ସ୍ୱୟଂ ସହାୟକ ମହିଳା ଚାଷିଙ୍କୁ ଝୁଡ଼ି ବଣ୍ଟନ କରାଯାଇଥିଲା । ସୁନାମୁହି, ଜଗନ୍ନାଥ, ଓଁମ୍ ଶାନ୍ତି, ଭଗବତୀ, ଲକ୍ଷ୍ମୀବାଇ, ମା ସଂଙ୍କଟ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ଗୋପିନାଥପୁର, ମହିଷିଗୋଠ, ପୁରୁଷଣ୍ଢ, ବିଟିପୁର, ଚାରିଗାଁ, ବଡ଼ବର୍ଚ୍ଚିକୟାଁ, କାଦବରାଙ୍ଗ ଆଦି ପଞ୍ଚାୟତର ଅଗ୍ରଣୀ ଚାଷି ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ଉଦ୍ୟାନ କୃଷି ସଂପ୍ରଶାରଣ କର୍ମଚାରୀ ସୁଜାତା ମୈକାବ, ଚନ୍ଦ୍ରାୟ ହେମ୍ରମ୍ବ, ପ୍ରଭାତ ବିଶ୍ୱାଳ, ଧିରିବର ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।