Odiapua.com

ଆଗରପଡ଼ାରେ ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟ ରଖି ସୋମବାରଠାରୁ ୩ ଦିନ ସଟଡ଼ାଉନ, ନିର୍ବାଚିତ ଜନପ୍ରତିନିଧି ନେଲେ ନିଷ୍ପତ୍ତି, ବଜାର ଆଖପାଖରେ ଲୁଚିଛନ୍ତି ଶତାଧିକ କରୋନା ଆକ୍ରାନ୍ତ

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଅଞ୍ଚଳରେ ବୋଲ ମାନୁନାହିଁ କରୋନା । ଏହି ଅଞ୍ଚଳ ବର୍ତ୍ତମାନ ଜିଲ୍ଲାରେ ହଟ୍‌ଜୋନ ପାଲଟିଛି । ପ୍ରତ୍ୟେହ ଅଧିକରୁ ଅଧିକ କରୋନା ଚିହ୍ନଟ ହେବା ପରେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ମାତ୍ର ସେମାନେ ଏହାକୁ ଖାତିର ନକରି ଖୁଲମଖୁଲା ସାଧାରଣରେ ଘୁରି ବୁଲୁଥିବାର ଦେଖା ଯାଉଛି । ପ୍ରଶାସନ ତରଫରୁ ଯେଉଁମାନେ ଘରେ ସଙ୍ଗରୋଧ ରେ ରହିଛନ୍ତି, ସେଠାରେ କୌଣସି ସୂଚନା ଫଳକ ଲଗାଯାଇ ନଥିବାରୁ ସାଧରଣ ଲୋକେ ସଂକ୍ରମିତ ବିଷୟରେ ଜାଣି ପାରୁ ନାହାନ୍ତି । ଅପରପକ୍ଷେ ଆକ୍ରାନ୍ତଙ୍କ ସହିତ ମିଶି ଆଗରପଡ଼ା ବଜାର ସମେତ ଏହାର ଆଖପାଖରେ ଶତାଧିକ ଜ୍ୱର ଥଣ୍ଡା ବ୍ୟକ୍ତି ରହିଥିବାର ସୂଚନା ମିଳିଛି । ଏପରିକି ଗୋଟିଏ ଗୋଟିଏ ପରିବାର ସମସ୍ତ ବ୍ୟକ୍ତି ମଧ୍ୟ ଆକ୍ରାନ୍ତ ହୋଇ ସାରିଲେଣି । ଯେଉଁମାନେ ବାହାର ରାଜ୍ୟରୁ ଆସିଛନ୍ତି ସେମାନେ ସଙ୍ଗରୋଧରେ ନରହି କରୋନାକୁ ଫୁ କରି ନିର୍ଭୟରେ ଘୁରି ବୁଲୁଛନ୍ତି । ଆକ୍ରାନ୍ତମାନେ ମଧ୍ୟ ଜାଣିଶୁଣି ପରୀକ୍ଷଣ କରାଉ ନାହାନ୍ତି । ଯଦ୍ୱାରା ଏଠାରେ ଗୋଷ୍ଠୀ ସଂକ୍ରମଣ ହେବାକୁ ବସିଲାଣି । ଏତଦଭିନ୍ନ ଇତି ମଧ୍ୟରେ ସଂପୃକ୍ତ ଅଞ୍ଚଳରୁ ୫ଜଣ କରୋନାରେ ମୃତ୍ୟୁବରଣ କରି ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ବଜାର ଓ ଏହାର ଆଖପାଖ ୭ ଗୋଟି ପଞ୍ଚାୟତରେ ସଟଡ଼ାଉନ ଦାବୀ ଜୋର ଧରିଛି । ଏନେଇ ଆଜି ସଂପୃକ୍ତ ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ମାନେ ଆଗରପଡ଼ା ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ଏକତ୍ରିତ ହୋଇଥିଲେ । ଆଲୋଚନାରୁ ଜଣାଗଲାଯେ ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରଶାସନ ତରଫରୁ ଆଗରପଡ଼ା କଲେଜରେ ୧ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲା ଯାଇଥିଲେ ବି ସେଠାରେ ଅକ୍ସିଜେନ ସମେତ ଡ଼ାକ୍ତର ଓ ଡ଼ାକ୍ତରୀ ସରଞ୍ଜାମ ରଖାଯାଇ ନାହିଁ । ବାଳିକା ବିଦ୍ୟାଳୟରେ କ୍ଲଷ୍ଟର ଟିଏମସି ଖୋଲା ଯାଇଥିଲେ ବି ଏଠାକୁ ଆସୁଥିବା ରାଜ୍ୟ ବାହାର ଲୋକମାନଙ୍କୁ ଅନ୍ୟତ୍ର ରଖାଯାଉଛି ।

ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ବାରମ୍ବାର ଆଗରପଡ଼ାକୁ ଆସି ପରିସ୍ଥିତି ଅନୁଧ୍ୟାନ କରୁଥିଲେ ବି ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେନେଇ କୌଣସି ଠୋସ ପଦକ୍ଷେପ ନେଉ ନାହାନ୍ତି । ଆଗରପଡ଼ା ହାଟ ଓ ଦୈନିକ ବଜାର ଉପରେ ୩ ଗୋଟି ଜିଲ୍ଲାର ଅଧିବାସୀ ନିର୍ଭରଶୀଳ ହୋଇ ଥିବାରୁ ଶନିବାର, ରବିବାର ବ୍ୟତିତ ଅନ୍ୟଦିନ ମାନଙ୍କରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି । ସାମାଜିକ ଦୂରତା ରହୁନାହିଁ କି କେହିବି ଠିକଭାବେ ମାସ୍କ ପରିଧାନ କରୁ ନାହାନ୍ତି । ଖୋଲାଯାଉଥିବା ଦୋକାନୀମାନେ କୋଭିଡ଼୍ ନିୟମକୁ ମାନୁ ନାହାନ୍ତି । ତେଣୁ ଆଜିର ବୈଠକରେ ଶନିବାର ଓ ରବିବାରକୁ ଛାଡ଼ି ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ୪ ଦିନ ବଜାର ଓ ଏହାର ଆଖପାଖ ଅଞ୍ଚଳକୁ ସଟଡ଼ାଉନ ଘୋଷଣା କରାଯାଉଛି । ଏ ବିଷୟରେ ବିଡ଼ିଓଙ୍କ ସମେତ ଉଚ୍ଚ ଅଧିଢ଼କାରୀଙ୍କୁ ଲିଖିତ ଅବଗତ କରାଯାଇଛି । ଯୁବ ସମାଜସେବୀ ଅଶୋକ ପରିଡ଼ାଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୧୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ଗୋପିନାଥପୁର ସରପଞ୍ଚ ଅଶୋକ ଦାସ, ବଡ଼ମହିଷଗୋଠ ସରପଞ୍ଚ କ୍ରୀଷ୍ଣା ମହାନ୍ତି, ପୁରୁଷଣ୍ଢ ସରପଞ୍ଚ ଭାନୁମତୀ ଜେନା, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା, ସମିତି ସଭ୍ୟ ଦିଲ୍ଲିପ ପୁହାଣ, ଭୀଷ୍ମେଶ୍ୱର ଦାସ, ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି, ସମାଜସେବୀ କାର୍ତ୍ତିକ ଜେନା, ପୂର୍ବତନ ସମିତିସଭ୍ୟ ମନୋରଞ୍ଜନ ଘଡ଼େଇ, ସାମ୍ବାଦିକ ହେମନ୍ତ ସିଂହ, ଜୀତେନ୍ଦ୍ର ଶତପଥୀ, ପ୍ରଦ୍ୟୁମ୍ନ ପୁହାଣ ଓ ଲକ୍ଷ୍ମୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଡ଼ାକବାଜି ଯନ୍ତ୍ର ଯୋଗେ ସଟଡ଼ାଉନ ବିଷୟ ସଂପୃକ୍ତ ଅଞ୍ଚଳରେ ପ୍ରଚାର କରାଯାଇଛି ।