ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରସିଦ୍ଧ ଆଗରପଡା ରଥ ଯାତ୍ରା ପାଇଁ ମନ୍ଦିର କର୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ହେଲେ ବି.ଟିପୁର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ କଲେଜ ଛକ ସ୍ଥିତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ପୂର୍ତ ବିଭାଗ ଅଧିନ ପକ୍କା ରାସ୍ତା ଖାଲ ଖମାରେ ପରିପୂଣ୍ଣ ହୋଇଛି। ଏହି ୧ କି.ମି ବ୍ୟାପି ରାସ୍ତାରେ ରଥ ସୁରକ୍ଷିତ ଗଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଉକ୍ତ ରାସ୍ତାଟି ବଜାର ଅଂଚଳରେ ଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରି ଯାନ ଗୁଡିକ ଏହି ରାସ୍ତାରେ ଯିବା ଆସିବା କରୁଛି। ଫଳରେ ରାସ୍ତାର କଲେଜ ଛକ,ହାଟ ସମ୍ମୁଖ ଓ ଲକ୍ଷ୍ମୀ ବଜାର ଛକ ଠାରେ ବଡ ବଡ ଗର୍ତମାନ ସୃଷ୍ଟି ହୋଇଛି। ଏତଦ୍ ଭିନ୍ନ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟିବା ଓ ଖାଲଖମା ଯୋଗୁଁ ବାଇକ୍ରେ ଯିବା ଆସିବା କରିବା କଷ୍ଟ ସାଧ୍ୟ ହେଉଥିବା ବେଳେ ଗୁରୁବାର ପ୍ରସିଦ୍ଧ ରଥଯାତ୍ରା ଏବଂ ଆଗାମୀ ୨୪ ତାରିଖ ବାହୁଡା ଯାତ୍ରା କିପରି ନିର୍ଦ୍ଧାରିତ ସମୟରେ ସମ୍ପର୍ଣ୍ଣ ହେବ ସେ ନେଇ ଜଗନ୍ନାଥ ପ୍ରେମୀ ଶଙ୍କାରେ ଅଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।