Odiapua.com

ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ଚିନ୍ତାରେ

ନୟାଗଡ଼, ୩୦ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ିଆମାନଙ୍କର ବାରମାସରେ ତେରପର୍ବ। କୌଣସି ମାସରେ ବି ପର୍ବ ପର୍ବାଣୀର ବିଶ୍ରାମ ନଥାଏ। ଏହିସବୁ ପର୍ବ ପର୍ବପର୍ବାଣୀରେ ମୂର୍ତ୍ତି କାରିଗରମାନେ ମୂର୍ତ୍ତି କରି ପରିବାର ଗୁଜୁରାଣ ମେଂଟାଇଥାନ୍ତି। ଭାଦ୍ରବ ମାସଠାରୁ ଆରମ୍ଭ କରି କାର୍ତ୍ତିକ ମାସ ଯାଏଁ ମୂର୍ତ୍ତି କାରିଗରମାନେ ବେଶୀ ବ୍ୟସ୍ତଥାନ୍ତି। ଭାଦ୍ରବ ମାସରେ ଭାଲୁକୁଣୀ ଓଷା ପାଇଁ ମଙ୍ଗଳା ମୂର୍ତ୍ତି ଠାରୁ ଆରମ୍ଭ କରି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ମୂର୍ତ୍ତି, ଗଣେଶ ମୂର୍ତ୍ତି ଏପରିକି ଦଶହରାରେ ଦୂର୍ଗାଙ୍କ ମୂର୍ତ୍ତି ଏବଂ ଆହୁରି ଅନେକ ପର୍ବପର୍ବାଣୀ ପାଇଁ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିଥାନ୍ତି। ପାର୍ବଣ ଋତୁ ଆସିଲେ ଅନେକ ଓଡ଼ିଆ ଓ ବଙ୍ଗାଳୀ କାରିଗରମାନେ ବିଭିନ୍ନ ସ୍ଥାନରେ ରହି ଡେରା ପକାଇ ମୂର୍ତ୍ତି ତିଆରି କରିଥାନ୍ତି। ଏହିସବୁ ପାର୍ବଣ ଋତୁରେ କାରିଗରମାନେ ଭଲ ଦି’ପଇସା ରୋଜଗାର କରି ପରିବାର ଚଳେଇଥାନ୍ତି। ବଶେଷକରି ଗଣେଶ ପୂଜା ସମୟକୁ କାରିଗରମାନେ ବେଶୀ ଅନାଇ ରହିଥାନ୍ତି। ଏହି ସମୟରେ ଗଣେଶ ପୂଜା ଗାଁ ଗହଳି ଠାରୁ ଆରମ୍ଭ କରି ସହର ସ୍ମୁଲ, କଲେଜ ଏପରିକି ବଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରେ ଗଣେଶ ପୂଜା ପାଇଁ ମୂର୍ତ୍ତି ବେଶ୍ ଚାହିଦା ରହିଥାଏ। ହେଲେ କରୋନା କଟକଣା ଯୋଗୁଁ ମୂର୍ତ୍ତି କାରଗରମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାସେ କିଏ କୁଆଡ଼େ ଯାଇପାରୁନଥିବାରୁ ବିଭିନ୍ନ ମୂର୍ତ୍ତି ଗଢା ସ୍ଥାନ ଏବେ ସବୁ ଖାଁ ଖାଁ ଲାଗୁଛି। ମୂର୍ତ୍ତି କରିବେ ନାହିଁ କାରିଗରମାନେ ଦୋ ଦୋ ପାଂଚ ଅବସ୍ଥାରେ ଥିବାବେଳେ ବିଭିନ୍ନ ସ୍ଥାନରେ କିଏ କେମିତି ମନରେ ଆଶା ସଂଚାର କରି ଛୋଟ ଛୋଟ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳୁଛି। କାଳେ ଗଣେଶ ପୂଜା ବା ଅନ୍ୟାନ୍ୟ ପୂଜା ପାଇଁ ସରକାରୀ କଟକଣା ସହିତ ସାମାଜିକ ସୁରକ୍ଷା ଭିତରେ ନିରାଡ଼ମ୍ବର ଭାବରେ ପୂଜା ପାଳନ ପାଇଁ ଅନୁମତି ମିଳିବ ସେଥିପାଇଁ ମୂର୍ତ୍ତି କାରିଗରମାନେ ଏବେବି ମନରୁ ଆଶା ତୁଟେଇ ପାରି ନାହାନ୍ତି।