Odiapua.com

ଆଗକୁ ଆସୁଛି ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା, ଭଦ୍ରକ-ଆରଡି ରାସ୍ତା ବିପର୍ଯ୍ୟସ୍ତ, ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ!

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଭଦ୍ରକ-ଆରଡି ସଡକପଥର ବିପର୍ଯ୍ୟସ୍ତ ଅବସ୍ଥା ପର୍ଯ୍ୟଟନୀ ସ୍ଥଳର ମାନ୍ୟତାକୁ ଉପହାସ କରିଛି। ବାସ୍ତବରେ ସଡକ ପଥଟିରେ ଏବେକାର ଦୂରାବସ୍ଥା ନଦେଖିଲେ ବିଶ୍ୱାସ କରିହେବନି। ପୂର୍ତ ବିଭାଗ ଅଧୀନସ୍ଥ ଭଦ୍ରକରୁ ଆରଡି ୩୪ କିଲୋମିଟର ସଡକ ପଥଟି ଏବେ ଖାଲଢିପରେ ପରିପୂର୍ଣ୍ଣ। ଆଗରେ ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। ଜିଲା ତଥା ଜିଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେବ। ଏବେ ସଡକପଥଟିର ଶୋଚନୀୟ ଅବସ୍ଥା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ପୂର୍ତ ବିଭାଗ ଅଧୀନସ୍ଥ ଏହି ସଡକ ପଥଟିର ବିକଳ ଚିତ୍ର ପ୍ରଶାସନିକ ଅପାରଗତାକୁ ପଦାରେ ପକାଇଛି। ପ୍ରଶାସନିକ କାର୍ଯ୍ୟଦକ୍ଷତା ପ୍ରତି ପର୍ଯ୍ୟଟକ ଓ ସାଧାରଣ ଯାତ୍ରୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ଜାଗର ଯାତ୍ରା ଉପଲକ୍ଷେ ସଡକ ପଥଟିର ଶୋଚନୀୟ ଅବସ୍ଥା ଦେଖିଲେ ଜିଲାର ବିକାଶ ବହୁ ପଛରେ ପଡିଛି ବୋଲି ଜିଲା ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଧାରଣା ସୃଷ୍ଟି ହେବା ସ୍ୱାଭାବିକ। ପୂର୍ବ ସରକାରଙ୍କ ୫-ଟି ଆଧାରରେ ଆଖଣ୍ଡଳମଣି ପୀଠର ନବ କଳେବର ହୋଇଛି। ପାରିପାଶ୍ୱର୍ିକ ଅବସ୍ଥାର କିଛିଟା ଉନ୍ନତି ଘଟିଛି। ତେବେ ଏହି ଉନ୍ନତିକୁ ଫିକା ପକାଇଦେଇଛି। ଗମନାଗମନ ବ୍ୟବସ୍ଥା। ସୂଚନାଯୋଗ୍ୟ ଭଦ୍ରକ-କୋଠାର-ଆରଡି ୩୪ କିମି ସଡକ ପଥର ଉନ୍ନତିକରଣ ସକାଶେ ୨୦୨୧-୨୨ ଷ୍ଟେଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ସଡକ ପଥଟିକୁ ଓସାର କରିବା ସହ ନିର୍ମାଣ କାର୍ଯ୍ୟ ପାଇଁ ୩୯ କୋଟି ୯୯ ଲକ୍ଷ ୩୯ ହଜାର ଟଙ୍କା ବ୍ୟୟ ଅଟକଳରେ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ଭୁବନେଶ୍ୱରର ଆରକେଡି କନଷ୍ଟ୍ରକସନ ଠିକାଦାରୀ ସଂସ୍ଥା ୨୦୨୨-୨୩ ରେ ୨୯ କୋଟି ୨୪ ଲକ୍ଷ ୩୯ ହଜାର ଟଙ୍କାର ନିର୍ମାଣ କାର୍ଯ୍ୟକୁ ନେଇ ଏଗ୍ରିମେଂଟ କରିଥିଲା। ସଂପୃକ୍ତ ଠିକାଦାର ସଂସ୍ଥାକୁ ତା ୦୫.୦୯.୨୨ ରିଖରେ କାର୍ଯ୍ୟାଦେଶ ଦିଆଯାଇଥିଲା। ତା ୦୪.୦୯.୨୪ ରିଖରେ ସଡକ ପଥଟିର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଥିଲା। ତେବେ କୌଣସି କାରଣରୁ ଏହି ଠିକାଦାରୀ ସଂସ୍ଥା ଗୋଟିଏ ବର୍ଷ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ରଖିଥିଲା। ଅନୁସନ୍ଧାନରୁ ଜଣାଯାଇଛି ସଂପୃକ୍ତ ଠିକାଦାରୀ ସଂସ୍ଥା ଟେଣ୍ଡରକୁ ବାତିଲ କରିବା ପାଇଁ ଉଚ୍ଚସ୍ତରରେ ଉଦ୍ୟମ ଜାରି ରଖିବା ଫଳରେ ନିର୍ମାଣ କାର୍ଯ୍ୟ ଅଟକି ରହିଥିଲା। ତେବେ ଏହି ଉଦ୍ୟମ ବିଫଳ ହେବାରୁ ସଂପୃକ୍ତ ଠିକାଦାରୀ ସଂସ୍ଥା ବାଧ୍ୟହୋଇ ଗତ ତା ୦୫.୦୯.୨୩ ରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାର ଜଣାଯାଇଛି। ଏହାମଧ୍ୟରେ ଏକବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ସଫଳତା ମିଳିନାହିଁ। ବିଭାଗୀୟ ସୂଚନା ଅନୁଯାୟୀ ଅଦ୍ୟାବଧି ନିର୍ମାଣ କାର୍ଯ୍ୟରେ ୧୨ କୋଟି ୮୯ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟ ସରିଲାଣି। ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ସଡକ ପଥଟିର ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସାଇଡ୍‌ରୁ ନିର୍ମାଣ କାର୍ଯ୍ୟ କରାନଯାଇ ସ୍ଥାନେ ସ୍ଥାନେ କରାଯାଉଥିବାରୁ ଏହି ସଡକ ପଥଟି ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ନିର୍ମାଣ କରାଯାଉଛି, ତାର କିଛିଦିନ ପରେ ପିଚୁ ଉଠିଯାଇ ରାସ୍ତାକୁ ଦୁର୍ଗମ କରିଦେଇଛି। କୋର୍କରା, କୋଠାର, ମିର୍ଗାହାଟକୁଳ, ବେତାଳିଗାଁ ପରେ ରାସ୍ତାରୁ ପିଚୁ ଉଠି ବଡ ବଡ ଖାଲ ସୃଷ୍ଟି ହୋଇଗଲାଣି। ସଡକପଥଟିର ଏଭଳି ଅବସ୍ଥା ଆସନ୍ତା ଜାଗର ଯାତ୍ରାରେ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।