Odiapua.com

ଆଖୁଚାଷ ପ୍ରତି ପ୍ରୋତ୍ସାହନ ନାହିଁ ମୁଣ୍ଡରେ ହାତ ଦେଲେଣି ହଜାରହଜାର ଆଖୁଚାଷୀ

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଖୁଚାଷ ପ୍ରତି ସରକାରଙ୍କର କୈାଣସି ପ୍ରୋତ୍ସାହନ ନାହିଁ । ଫଳରେ ମୁଣ୍ଡରେ ହାତଦେଇ ବସିଛନ୍ତି ହଜାର ହଜାର ଆଖୁଚାଷୀ । ଭଦ୍ରକ ଜିଲ୍ଲାରେ ବହୁଳ ଆଖୁଚାଷକୁ ଦୃଷ୍ଟିରେ ରଖି ଅଶୀ ଦଶକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଏକ ଚିନିକଳ ପ୍ରତିଷ୍ଟା କରାଯିବାର ପରକଳ୍ପନା କରାଯାଇଥିଲା । ଏଥିସକାସେ ରାଜ୍ୟ ସରକାର ଇଡକୋ ଜରିଆରେ ଧାମନଗର ଛକ ନିକଟରେ ପ୍ରାୟ ୨୧୭ ଏକର ମୁଲ୍ୟବାନ ଚାଷଜମି ଅଧିଗ୍ରହଣ କରି ଓଡିଶାର ଅନ୍ୟତମ ଅଗ୍ରଣୀ ଚିନି ଉତ୍ପାଦନକାରୀ ସଂସ୍ଥା ଧରଣୀ ସୁଗାରକୁ କୁ ଏଠାରେ ଏକ ଚିନି କାରଖାନା ପ୍ରତିଷ୍ଟା କରିବାକୁ ଅନୁମତି ପ୍ରଦାନ କରିଥିଲେ । ତେବେ ଯାଗାଜମି ଅଡୁଆ ଏବଂ ମାଲିମୋକଦ୍ଧମା ଯୋଗୁ ଧରଣୀ ସୁଗାର ଏହି ପ୍ରକଳ୍ପରୁ ଓହରୀ ଯାଇଥିଲା ଫଳରେ ଆଖୁଚାଷୀଙ୍କ ଆଶା ଧୁଳିସାତ ହୋଇ ଯାଇଥିଲା । ଚିନିକଳ ପ୍ରତିଷ୍ଟା ହୋଇଥିଲେ ଆଖୁଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୁଲ୍ୟ ମିଳିଥାନ୍ତା ଏବଂ ଏହି ଅଂଚଳର ଲୋକଙ୍କ ଅର୍ଥନୈତିକ ବିକାସ ସାଧିତ ହୋଇ ପାରିଥାନ୍ତା । ହେଲେ ଧରଣୀ ସୁଗାର ଚିନିକଳ ପ୍ରତିଷ୍ଟାରୁ ଓହରିଯିବା ଫଳରେ ଆଂଚଳିକ ଚାଷୀଙ୍କର ଆଖୁଚାଷ ପ୍ରତି ଆକଷଣ କମି ଯାଇଥିଲା । ଫଳରେ ଜିଲ୍ଲାରେ ହେଉଥିବା ବିପୁଳ ଆଖୁଚାଷ ଧିରେ ଧିରେ କମିବାକୁ ଲାଗିଥିଲା । ଏକଦା ଜିଲ୍ଲାରେ ପ୍ରାୟ ୫ ଜାର ହେକ୍ଟର ଚାଷ ଜମିରେ କରାଯାଉଥିବା ଏହି ଲାଭଦାୟକ ଅର୍ଥକରୀ ଆଖୁଚାଷ ଏବେ ମାତ୍ର କେଇଶହ ହେକ୍ଟରକୁ ହ୍ରାସପାଇଛି । ସରକାରୀ ସୁଚନା ଅନୁଯାଇ ଗତ ୨୦୧୮-୧୯ ରେ ଜିଲ୍ଲାରେ ମାତ୍ର ୨୩୯ ହେକ୍ଟର ଜମିରେ ଆଖୁଚାଷ କରାଯାଇଥିବା ବେଳେ ଗତବର୍ଷ ୨୭୫ ହେକ୍ଟରରେ ସିମିତ ରହିଛି । ଚିନିକାରଖାନା ପ୍ରତିଷ୍ଟା ନହୋଇ ପାରିଲେ ମଧ୍ୟ ସରକାର ଜିଲ୍ଲାର ଆଖୁଚାଷ ପ୍ରତି ଅନୁରପ ଧ୍ୟାନ ନଦେବାରୁ ଭଦ୍ରକ ଜିଲ୍ଲାରେ ଏବେ ଅର୍ଥକରୀ ଆଖୁଚାଷ ଧିରେ ଧିରେ ବୁଡିଯିବାକୁ ବସିଥିବା କହିଛନ୍ତି ଚାଷୀ । ଭଦ୍ରକ ଜିଲ୍ଲାରେ ଆଖୁଚାଷ ମୁଖ୍ୟତ ଧାମନଗର,ଭଣ୍ଡାରିପୋଖରୀ ଏବଂ ବନ୍ତ ବ୍ଲକରେ ପ୍ରଚୁର ପରିମାଣରେ କରାଯାଇଥାଏ । ତେବେ ଅଧିକାଂଶ ଆଖୁଚାଷୀ ଭାଗଚାଷୀ ହୋଇଥିବା ଯୋଗୁ ଆଖୁ ଚାଷ କରିବାକୁ ଏବେ ଅଧିକାଂଶ ଚାଷୀଙ୍କୁ ଭାଗ ଚାଷଜମି ମିଳୁନାହିଁ ।

ଆଖୁଚାଷ ଏକ ଦୀର୍ଘ୍ୟମିଆଦି(ଏକବର୍ଷ) ଫସଲ ହୋଇଥିବା ଯୋଗୁ ବହୁ ଜମି ମାଲିକ ଆଖୁଚାଷ କରିବାକୁ ଜମି ଦେବାକୁ ନାରାଜ ହେଉଥିବା କଥା ଅଭିଯୋଗ କରନ୍ତି ଚାଷୀ । ସେହିଭଳି ଆଖୁଚାଷ ଏକ ବ୍ୟୟବହୁଳ ଚାଷ ହୋଇଥିବା ହେତୁ ଏହି ଚାଷ କରିବାକୁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି । ଯାହାକି ସରକାରଙ୍କର ବିନା ପ୍ରୋତ୍ସାହନରେ ସମ୍ଭବନୁହେଁ ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ କଥା ହେଲା ଆଖୁର ଉତ୍ପାଦ ସକାସେ ଭଦ୍ରକ ଜିଲ୍ଲାରେ ଅନୁରୁପ ବଜାର ନାହିଁ । ଫଳରେ ଚାଷୀମାନେ ଆଖୁ ଖଳାରେ ଆଖୁ ପେଡି,ରାନ୍ଧି ସେହିଠାରେ ମାଠିଆ ଗୁଡ ପ୍ରସ୍ତୁତ କରି ରଖିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ଏଥିସକାସେ ସରକାରୀଭାବେ କୌଣସି ମଣ୍ଡି ନଥିବାରୁ ଚାଷୀମାନେ ଆଖୁଖଳାରୁ କମ୍ ଦରରେ ମାଠିଆ ମାଠିଆ ଗୁଡକୁ ବେପାରୀଙ୍କୁ ମପେଇ ଦେଉଛନ୍ତି । ଫଳରେ ସେମାନଙ୍କୁ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୁଲ୍ୟ ମିଳୁନଥିବା ବେଳେ ମାଲା ମାଲ ହେଉଛନ୍ତି ବେପାରୀ । ଆଖୁ ଚାଷୀଙ୍କ ଠାରୁ ମାତ୍ର ୨୦/୨୫ ଟଙ୍କା ଦରରେ ଗୁଡ କିଣି ଖୋଲବଜାରରେ ତାହାକୁ ୫୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଯାହାକି ଚାଷୀଙ୍କୁ ଏହି ଚାଷ କରିବାକୁ ନିରୁତ୍ସାହିତ କରୁଛି ବୋଲି କହିଛନ୍ତି ଚାଷୀ ଧନେଶ୍ୱର ବିଶ୍ୱାଳ,ନିଧିଆନନ୍ଦ ସ୍ୱାଇଁ,କୌଶଲ୍ୟା ସ୍ୱାଇଁ ଏବଂ ମୁରଲୀଧର ସ୍ୱାଇଁ ପ୍ରମୁଖ ଆଖୁଚାଷୀ । ତେବେ ଏଥିନେଇ ଧାମନଗର କୃଷି ଜିଲ୍ଲା ଅଧିକାରୀ ରମେଶ ଚନ୍ଦ୍ର ରାୟ କହିଛନ୍ତି ଯେ ଗତ ବର୍ଷ କରୋନା ଯୋଗୁ ଆଖୁଚାଷୀଙ୍କୁ କୌଣସି ସରକାରୀ ସହାୟତା ଯୋଗାଇ ଦେବା ସମ୍ଭବ ହୋଇ ପାରି ନାହିଁ । ସେହିଭଳି ସବୁ ଆଖୁଚାଷୀଙ୍କ ପାଖରେ ସରକାରୀ ସୁବିଧା ଯୋଗାଇ ଦେବାକୁ କୌଣସି ରକାରୀ ବ୍ୟବସ୍ଥା ନଥିବାରୁ ଆମେ ଏଦିଗରେ ଅଧିକ କିଛି କରିପାରୁୁୁୁୁୁୁୁୁୁନାହୁଁ ବୋଲି ସେ କହିଛନ୍ତି । ଚଳିତବର୍ଷ ଜିଲ୍ଲାରେ ଆଖୁଚାଷ ଏବଂ ଚାଷୀଙ୍କୁ ଆଖୁଚାଷ ପ୍ରତି ଅଧିକ ଆକର୍ଷିତ କରିବାକୁ ୪ ହେକ୍ଟର ଜମିକୁ ନେଇ କ୍ରିଏସନ ଅଫ ସିଡ୍ସ କ୍ରେନ ହବ ପ୍ରତିଷ୍ଟା ପାଇଁ ଉଦ୍ୟମ କରୁଛୁ । ଯାହାକି ଆଗକୁ ଚାଷୀଙ୍କୁ ଆଖୁଚାଷ ପ୍ରତି ଉତ୍ସାହିତ କରିବ ବୋଲି ସେ କହିଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ସରକାର ଜିଲ୍ଲାରେ ଆଖୁଚାଷର ବିକାଶ ନେଇ ଅନୁରୁପ ବ୍ୟବସ୍ଥା ଗ୍ରହଣ କରନ୍ତୁ ଅଥବା ନାହିଁ କିନ୍ତୁ ଉତ୍ପାଦ ସକାସେ ଉପଯୁକ୍ତ ବଜାର ସୃଷ୍ଟି କରିବା ନିତ୍ୟାନ୍ତ ଜରୁରୀ ବୋଲି ଚାଷୀମାନେ କହିଛନ୍ତି ।