Odiapua.com

ଆଖିରୁ ଶୁଖିନଥିଲା ପିଆଜ ଲୁହ : ଏବେ ଆଳୁ ମୂଲ୍ୟ ହେଲା ଅସମ୍ଭାଳ

ବାଲିଗୁଡା, ୫/୧(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ପିଆଜ ଲୁହ ଆଖିରୁ ଶୁଖିନି ଏବେ ଆଳୁ ବୋଝ ଅସମ୍ଭାଳ ହେଲାଣି। ହଠାତ ଦିନେ ଦି ଦିନ ଭିତରେ ବାଲିଗୁଡା ତଥା ଆଖ ପାଖ ଅଞ୍ଚଳରେ ଆଳୁ ଦର କିଲୋପିଛା ୫ରୁ ୭ଟଙ୍କା ବଢ଼ିଯାଇଛି। କନ୍ଧମାଳ ଲୋକେ ବିଶେଷ ଭାବେ ଆଳୁ ଉପରେ ନିର୍ଭରଶୀଳ ଥିବାରୁ ଏହାର ଦର ବୃଦ୍ଧିକୁ ନେଇ ସେମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେପଟେ ବେପାରୀ କହିଛନ୍ତି ପଶ୍ଚିମବଙ୍ଗରୁ ନୂଆ ଆଳୁ ଆସିନି ତେଣୁ ଦର ବଢ଼ିଛି। ୩-୪ଦିନ ତଳେ ଆଳୁ କିଣିଥିବା ଲୋକେ ଏବେ ଆଳୁ କିଣିବାବେଳକୁ ଦୋକାନି ଉପରେ ଚିହିଁକି ଉଠୁଛନ୍ତି। ମାତ୍ର କିଛି ଦିନ ତଳେ ଆଳୁ ଦର କିଲୋ ପିଛା ୨୦ରୁ ୨୫ ଟଙ୍କା ଥିଲା ହେଲେ ଆଜି ବାଲିଗୁଡାର ଅନେକ ସ୍ଥାନରେ ୩୦ ରୁ ୩୫ଟଙ୍କା ଛୁଇଁଛି। ତେଣୁ ଯେତେ ପନିପରିବା ଦର ଅଧିକ ରହିଲେ ବି ଖାଲି ଆଳୁ ଥିଲେ ଓଡ଼ିଆଙ୍କ ଚଳିଯାଏ, ଆଉ ଆଳୁ ଦର ବଢ଼ିବା ଲୋକଙ୍କୁ ଚିନ୍ତାରେ ପକାଇଛି।ସ୍ଥାନୀୟ ଅଞ୍ଚଳର ନୂଆ ଆଳୁ ମଧ୍ୟ କିଲୋ ପିଛା ୫୦ରୁ ୬୦ଟଙ୍କା ରେ ବିକ୍ରି ହେଉଛି। ବାଲିଗୁଡାକୁ ଆଳୁ ଆସିଥାଏ ପଶ୍ଚିମବଙ୍ଗରୁ। କିନ୍ତୁ ଦୁଇ ଦିନ ଧରି ଲାଗିଥିବା ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମବଙ୍ଗରେ ନୂଆ ଆଳୁ ଆସିବାରେ ବିଳମ୍ବ ହୋଇଛି। ଏଣେ ଯାହା ପୁରୁଣା ଆଳୁ ଷ୍ଟକ ଥିଲା ସେ ବି ସରିବା ଉପରେ। ତେଣୁ ଆଳୁର ବଜାର ଦର ହଠାତ ବଢ଼ିଲା ବୋଲି ବ୍ୟବସାୟୀମାନେ କହୁଛନ୍ତି। ତେବେ ଆଳୁ ଦର କେବେ ନିୟନ୍ତ୍ରଣକୁ ଆସିବ ସେନେଇ ନା ସରକାର ନା ବ୍ୟବସାୟୀ କେହି ବି କିଛି କହୁଛନ୍ତି। କେବଳ ଓଡ଼ିଶା କାହିଁକି ଉତ୍ତର ପ୍ରଦେଶ ଏବଂ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି। ପିଆଜ ଦର ଏବେବି ନିୟନ୍ତ୍ରଣକୁ ଆସିନାହିଁ ଏତିକିବେଳେ ଆଳୁ ଏବଂ ଅନ୍ୟାନ୍ୟ ପରିବା ଦର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।