Odiapua.com

ଆଖଣ୍ଡଳମଣି ମନ୍ଦିର ପ୍ରଶାସନର ଅଣଦେଖା,୧୧ଦିନ ହେଲା ବାବାମଣିଙ୍କ ମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ବାବା ଆଖଣ୍ଡଳମଣିଙ୍କ ପୀଠ ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ହୋଇଥିବାରୁ ପ୍ରତିଦିନ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହୋଇଥାଏ। ହେଲେ ମନ୍ଦିର ପ୍ରଶାସନର ଅଣଦେଖା ଓ ଖାମଖିଆଲି ମନୋଭାବ ଯୋଗୁଁ ଗତ ୧୧ଦିନ ହେବ ମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ନର୍ଦ୍ଦମା ପାଣି ଲହଡ଼ି ଭାଙ୍ଗୁଛି। ସେହି ନର୍ଦ୍ଦମା ପାଣିରେ ପଶି ପ୍ରତିଦିନ ଆଗନ୍ତୁକ ଭକ୍ତଙ୍କ ସହ ସେବାୟତମାନେ ମନ୍ଦିରକୁ ଯାତାୟତ କରୁଛନ୍ତି। ଏପରି ସମସ୍ୟା ବାବଦରେ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେବାୟତ ଓ ଆଗନ୍ତୁକ ଭକ୍ତମାନେ କହିଛନ୍ତି। ଅନ୍‌ଯପଟେ ମନ୍ଦିର ପରିସର ଓ ବେଢ଼ା ଚତୁଃପାର୍ଶ୍ୱ, ମୁଖ୍ୟ ବଜାର ରାସ୍ତାକୁ ସଫାସୁତୁରା ରଖିବା ସହ ସମସ୍ତ ଡ୍ରେନରେ ଆବର୍ଜନା ପାଣି ଠିକ ଭାବେ ନିଷ୍କାସନ ହେବ ସେଥିପାଇଁ ମନ୍ଦିର ଫଣ୍ଡରୁ ମାସିକ ହଜାରହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ମନ୍ଦିର ପରିସର ଓ ରାସ୍ତା ସଫା ହେବା ତ ଦୂରର କଥା ଡ୍ରେନ ଗୁଡିକରେ ଅଳିଆ ଆବର୍ଜନା ଭର୍ତି ହୋଇ ରହିଥିବାରୁ ଦିନ ଦିନ ଧରି ନର୍ଦ୍ଦମା ପାଣି ରାସ୍ତା ଓ ମନ୍ଦିର ଦ୍ୱାର ସମ୍ମୁଖରେ ଲହଡ଼ି ମାରୁଛି।